ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା କଲା ପତ୍ନୀ

ସୁରଟ: ଗୁଜୁରାଟର ଗାନ୍ଧିନଗରରେ ଜଣେ ପତ୍ନୀ ବିବାହର ମାତ୍ର ଚାରି ଦିନ ପରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପତ୍ନୀ ଜଣକ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଭଲ ପାଉଥିଲେ। ଫଳରେ ବିବାହର ମାତ୍ର ୪ ଦିନ ପରେ ସେ ସମ୍ପର୍କୀୟ ଭାଇ ଓ ଦୁଇ ସାଙ୍ଗଙ୍କ ସହାୟତାରେ ସ୍ୱାମୀଙ୍କୁ ଅପହରଣ କରି ହତ୍ୟା କରିଥିଲେ। ଏହା ପରେ ତାଙ୍କୁ ନର୍ମଦା କେନାଲ ନିକଟରେ ଫିଙ୍ଗି ଦିଆଯାଇଥିଲା।

ଅହମ୍ମଦାବାଦ ନିବାସୀ ଭବିକ ଗାନ୍ଧିନଗରର ପାୟଲଙ୍କୁ ବିବାହ କରିଥିଲେ। ବିବାହର ଚାରି ଦିନ ପରେ ଭବିକ ଅହମ୍ମଦାବାଦରୁ ଗାନ୍ଧିନଗର ସ୍ଥିତ ଶ୍ବଶୁର ଘରକୁ ଯାଉଥିଲେ। ଏହି ସମୟରେ ଏକ ନିଛାଟିଆ ରାସ୍ତାରେ ଅଭିଯୁକ୍ତ ପ୍ରଥମେ କାରରେ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଏହା ପରେ ସେମାନେ ଆହତ ଭବିକଙ୍କୁ କାରରେ ଅପହରଣ କରି ନେଇ ଗଳା ଚିପି ହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ତାଙ୍କ ମୃତଦେହକୁ ନର୍ମଦା କେନାଲରେ ପକାଇ ଫେରାର ହୋଇଯାଇଥିଲା।

ଭବିକଙ୍କ ପହଞ୍ଚିବା ବିଳମ୍ବ ହେବାରୁ କିଛି ଅଘଟଣ ଆଶଙ୍କାରେ ପରିବାରବର୍ଗ ତାଙ୍କୁ ଖୋଜିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ବାଇକ ରାସ୍ତା କଡ଼ରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଯାହା ପରେ ପୋଲିସକୁ ଖବର ଦିଆଯାଇଥିଲା।

ପୋଲିସ ପ୍ରଥମେ ପାୟଲଙ୍କୁ ପଚରାଉଚରା ଆରମ୍ଭ କରିଥିଲା। ପୋଲିସର ପ୍ରଶ୍ନ ଶୁଣିବା ପରେ ସେ ନର୍ଭସ ହୋଇପଡିଥିଲେ। ପୋଲିସ ଚାପରେ ସେସବୁ ଅପରାଧ ସ୍ୱୀକାର କରିଥିଲେ। ସେ ତାଙ୍କ ପ୍ରେମିକ କଲପେଶଙ୍କ ସହ ଭବିକଙ୍କୁ ଅପହରଣ ଓ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି କହିଥିଲେ। ଏହି ଘଟଣାରେ ପତ୍ନୀଙ୍କ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

Leave A Reply

Your email address will not be published.