କୁଆଡେ ଗଲେ ବିଜୟ? । ଦଳରେ ଅଲୋଡା ପୂର୍ବତନ ବିଧାୟକ । ନିଷ୍କ୍ରିୟ ବିଜୟ କିନ୍ତୁ ସକ୍ରିୟ ପ୍ରିୟଦର୍ଶୀ । ୨୦୧୯ରେ ଭୁବନେଶ୍ୱରରେ ରୋଚକ ଅଧ୍ୟାୟ ସବୁ ଘଟିଥିଲା । ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀରେ ରାତାରାତି ସବୁ ଓଲଟପାଲଟ ହୋଇଗଲା । ମଧ୍ୟରେ ଦୁଇ ଥରିଆ ବିଧାୟକ ବିଜୟ ମହାନ୍ତିଙ୍କ ଟିକେଟ୍ କାଟି ଅନନ୍ତ ଜେନାଙ୍କୁ ଧରାଇ ଦିଆଗଲା । ଉତ୍ତରରେ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ୍ କାଟି ସୁଶାନ୍ତ ରାଉତଙ୍କୁ ଦିଆଗଲା । ଦୁଇଟି ଯାକ ଥିଲା ବେଶ ଅପ୍ରତ୍ୟାଶିତ । ଅନନ୍ତ ଓ ସୁଶାନ୍ତ ଜିତିଗଲେ ।
ତେବେ ବିଜୟ ଓ ପ୍ରିୟଦର୍ଶୀଙ୍କୁ କିପରି ସନ୍ତୁଷ୍ଟ କରାଯିବ, ତାହା ଉପରେ ସମସ୍ତଙ୍କ ନଜର ଥିଲା । ନିର୍ବାଚନ ପରେ ତତ୍କ୍ଷଣାତ୍ ହାଉସିଂବୋର୍ଡ ଅଧ୍ୟକ୍ଷ ପରି ଏକ ଓଜନିଆ ପଦବି ପ୍ରିୟଦର୍ଶୀଙ୍କୁ ଦିଆଗଲା । କିନ୍ତୁ ବିଜୟଙ୍କୁ ଥଇଥାନ କରାଗଲା ନାହିଁ । ଦିନେ ନିଜର ସାଂଗଠନିକ ଦକ୍ଷତା ପାଇଁ ବିଜୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁନା ପୁଅ ସାଜିଥିଲେ । ପ୍ୟାରୀ ମୋହନ ମହାପାତ୍ରଙ୍କ ଏକାନ୍ତ ଅନୁଗତ ଭାବେ ରାଜନୀତିରେ ପରିଚିତ ଥିବା ବିଜୟ ପ୍ୟାରୀଙ୍କ ପରେ ନବୀନଙ୍କର ବି ଆସ୍ଥାଭାଜନ ହୋଇଥିଲେ । ଦ୍ୱିତୀୟ ଥର ଟିକେଟ୍ ପାଇ ଭଲ ବ୍ୟବଧାନରେ ଜିତିଥିଲେ । କିନ୍ତୁ ୨୦୧୯ ପରେ ତାଙ୍କୁ ଥଇଥାନ କାହିଁକି କରାଗଲା ନାହିଁ, ତାହା ଏବେ ବି ଦୁର୍ବୋଧ୍ୟ । ଅଭିମାନରେ ହେଉ କି ଅନ୍ୟ କୌଣସି କାରଣ ପାଇଁ ହେଉ, ବିଜୟ ବିଜେଡିର ମୁଖ୍ୟଧାରା ଠାରୁ ଦୂରେଇ ଯାଇଛନ୍ତି ।
ରାଜନୀତିରେ ଅଭିମାନର ଯେ କିଛି ମୂଲ୍ୟ ନାହିଁ, ତାହା ବିଜୟ ବୁଝିପାରୁନାହାନ୍ତି ବୋଧେ । କିନ୍ତୁ ସେଦୃଷ୍ଟିରୁ ପ୍ରିୟଦର୍ଶୀ ବେଶ୍ ଚାଲାକ । ଗତ ବର୍ଷ ହାଉସିଂବୋର୍ଡ ତାଙ୍କ ହାତରୁ ଗଲା ପରେ ବି ସେ ସାମାଜିକ ଓ ସାଂଗଠନିକ କାର୍ଯ୍ୟ ଜାରି ରଖିଛନ୍ତି । ଏଇ କିଛି ଦିନ ହେଲା ଦେଖାଯାଉଛି ଭୁବନେଶ୍ୱର ଉତ୍ତର ନିର୍ବାଚମଣ୍ଡଳୀରେ ସେ ବେଶ୍ ସକ୍ରିୟ ହୋଇଯାଇଛନ୍ତି । ବିଜେଡିର ନେତାଙ୍କ ସହ ନିକଟତର ହେବା ସହ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କ ଉପସ୍ଥିତି ଜାହିର କରି ମୁଖିଆଙ୍କ ଆଖିଦୃଶିଆ ହେବାକୁ ଚେଷ୍ଟା କରୁଛନ୍ତି । ପ୍ରିୟଦର୍ଶୀଙ୍କ ସକ୍ରିୟତା ଦେଖି କର୍ମୀ ବି ଦ୍ୱନ୍ଦ୍ୱରେ ପଡ଼ିଲେଣି । ଯାହାକୁ ନେଇ ସୁଶାନ୍ତ ଓ ପ୍ରିୟଦର୍ଶୀଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ବି ଆରମ୍ଭ ହେଲାଣି ।