କଂଗ୍ରେସ ବଢାଇଲାଣି ଆପର ଟେନସନ୍

ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ କଂଗ୍ରେସ ଟୁଇଷ୍ଟ। ନିର୍ବାଚନରେ ଏଥର କେବଳ ବିଜେପି ନୁହେଁ କଂଗ୍ରେସକୁ ବି ସାମନା କରିବ ଆପ୍ । ଦିନ କେଇଟା ପୂର୍ବରୁ ଦିଲ୍ଲୀ ରାଜନୀତିରେ କଂଗ୍ରେସର ସେଭଳି ଗୁରୁତ୍ବ ନଥିଲା । ଅରବିନ୍ଦ କେଜ୍ରିଓ୍ବାଲ ବି ବିଜେପିକୁ ହିଁ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବି ରଣନୀତି ପ୍ରସ୍ତୁତ କରିଥିଲେ । ହେଲେ ଗତ କିଛି ଦିନ ମଧ୍ୟରେ ଦିଲ୍ଲୀରେ ସିଧାସଳଖ ଲଢେଇ ନେଇ ସନ୍ଦେଶ ଦେଇଛି କଂଗ୍ରେସ। ଦିଲ୍ଲୀ ପାଇଁ କଂଗ୍ରେସ ଯେଉଁଭଳି ଭାବେ ରଣନୀତିର ସହ ଆଗେଇଛି ତାହା ଖୋଦ୍ କେଜ୍ରିଓ୍ବାଲଙ୍କୁ ବି ଚମକାଇ ଦେଇଛି। ଦିଲ୍ଲୀ ରାଜନୀତିରେ କଂଗ୍ରେସ ଏଣ୍ଟ୍ରି କରିଛି ବିଲକୁଲ ନୂଆ ଅନ୍ଦାଜରେ, ଯାହା କ୍ଷମତା ସମୀକରଣକୁ ଓଲଟ ପାଲଟ କରିଦେଇଛି ।

ଆପ ସହ ବ୍ରେକଅପ୍, ଲାଭରେ କଂଗ୍ରେସ !

ଦିନେ ଦିଲ୍ଲୀ କଂଗ୍ରେସର ଗଡ଼ ରହିଥିଲା । ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ କଂଗ୍ରେସ ହାତରେ ଥିଲା ଦିଲ୍ଲୀ ଶାସନ ଡୋରି । ହେଲେ ଗତ ନିର୍ବାଚନ ଗୁଡିକରେ ତୃତୀୟ ସ୍ଥାନକୁ ଖସି ଯାଇଥିଲା ଦଳ । ତେବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ ନକରିବା ନେଇ ଘୋଷଣା କରିବା ପରେ ଆସିଥିଲା ଟୁଇଷ୍ଟ । ଆପ୍ ସହ ବ୍ରେକଅପ୍ ପରେ ଫୁଲ୍ ଦମରେ ଦିଲ୍ଲୀ ନିର୍ବାଚନ ମଇଦାନରେ ସକ୍ରିୟ ରହିଛି କଂଗ୍ରେସ । ଦିଲ୍ଲୀ ନିର୍ବାଚନରେ ଆପ୍ ଓ ବିଜେପି ମଧ୍ୟରେ ଟକ୍କର ହେବା ନେଇ ଆକଳନ କରାଯାଉଥିବା ବେଳେ କଂଗ୍ରେସର ଏଣ୍ଟ୍ରି ଏହାକୁ ତ୍ରିମୁଖୀ ଲଢେଇରେ ପରିଣତ କରିଛି ।

ଅପ୍ ସହ ମେଣ୍ଟ ଥିଲା ଭୁଲ୍ !

ଆମ ଆଦମୀ ପାର୍ଟି ସହ ମେଣ୍ଟ କରିବା ଭୁଲ୍ ନିଷ୍ପତ୍ତି ଥିଲା ବୋଲି ଅନେକ ବରିଷ୍ଠ କଂଗ୍ରେସ ନେତା କହୁଛନ୍ତି । କାରଣ ଆପ୍ ରାଜନୀତିକୁ ଆସିବା ପୂର୍ବରୁ ଦିଲ୍ଲୀ କଂଗ୍ରେସ କବଜା ରହିଥିଲା । ହେଲେ ମେଣ୍ଟ ପରେ ଦିଲ୍ଲୀରେ ଆପ ବଢିବାରେ କେଉଁଠି ନା କେଉଁଠି କଂଗ୍ରେସ ସହଯୋଗ କରିଥିଲା । ମେଣ୍ଟରେ ଆପର ଫାଇଦା ହେଲା ତ କ୍ଷତି ସହିଲା କଂଗ୍ରେସ । ଏକ ନମ୍ବର ଦଳରୁ ଖସି ତିନି ନମ୍ବରରେ ପହଞ୍ଚିଲା । କଂଗ୍ରେସର ଏହି ଭୁଲ ନିଷ୍ପତ୍ତି ଜାତୀୟସ୍ତରରେ ବି ଆପକୁ ଆହୁରି ମଜବୁତ କଲା । ୨୦୧୩ରେ ଆପର ୪୯ଦିନିଆ ସରକାରକୁ ସମର୍ଥନ ଦିଲ୍ଲୀରେ କଂଗ୍ରେସର ସବୁଠୁ ବଡ ଭୁଲ ଥିଲା ବୋଲି କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି । ଏହି ନିଷ୍ପତ୍ତି ପାଇଁ ଦିଲ୍ଲୀରେ ଆପ୍ ବଢିଲା ବୋଲି ସେ କହିଛନ୍ତି ।

ମଇଦାନରେ କଂଗ୍ରେସ ହେଭିଓ୍ବେଟ୍

ଶାସନ ବିରୋଧୀ ଲହର ସହ ଆପ ଯୁଝୁଥିବା ବେଳେ କଂଗ୍ରେସ ଦିଲ୍ଲୀରେ ନିଜ ପୁରୁଣା ସ୍ଥିତିକୁ ଫେରିବାକୁ ଉଦ୍ୟମ କରୁଛି । ସେଥିପାଇଁ ଏଥର ନିର୍ବାଚନ ମଇଦାନକୁ କଂଗ୍ରେସ ହେଭିଓ୍ବେଟଙ୍କୁ ଓହ୍ଲାଇଛି । ନୂଆଦିଲ୍ଲୀରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ ଶିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିଛି ତ ମୁଖ୍ୟମନ୍ତ୍ରୀ ଅତିସୀଙ୍କ ବିପକ୍ଷରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କରିଛି । କେବଳ ନୂଆ ଚେହେରା ନୁହେଁ ଆପରୁ ଆସିଥିବା ନେତାଙ୍କୁ ବି ମଇଦାନକୁ ଓହ୍ଲାଇଛି କଂଗ୍ରେସ । ବିଜ୍ବାସନରୁ କର୍ଣ୍ଣେଲ ଦେବେନ୍ଦ୍ର ଶେରାଓ୍ବତ ହୁଅନ୍ତୁ କି ମାଟିଆ ମହଲରୁ ଅସୀମ ଅହମ୍ମଦ ଖାନ୍, ଆପ୍ ବିରୋଧରେ ପୂର୍ବ ଆପ ନେତାଙ୍କୁ ପ୍ରାର୍ଥୀ କରି ବଡ଼ ଗୋଟି ଚଳାଇଛି କଂଗ୍ରେସ । ଅନେକ ଯୁବ ଚେହେରାଙ୍କୁ ବି ପ୍ରାର୍ଥୀ କରିଛି ଦଳ ।

କାହାର ହେବେ ଦଳିତ, ସଂଖ୍ୟାଲଘୁ?

ଦିଲ୍ଲୀରେ ଦଳିତ ଓ ସଂଖ୍ୟାଲଘୁ ଭୋଟର ମୋଟ୍ ୩୦ପ୍ରତିଶତ । ଦଳିତ ଭୋଟର ୧୭ପ୍ରତିଶତ ତ ମୁସଲିମ ଭୋଟର ୧୨ପ୍ରତିଶତରୁ ଅଧିକ । ବିଶେଷ କରି ୧୨ ଏସସି ସିଟରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ଗତ ୧୧ବର୍ଷ ଧରି ଏସବୁ ସିଟରେ ଆପ୍ କବଜା କରିଥିଲା । ତେବେ ଏହା ପୂର୍ବରୁ ଏସବୁ ସିଟ୍ ଜିତି ଆସୁଥିଲା କଂଗ୍ରେସ । ଏଥର ଆପ୍ ଓ କଂଗ୍ରେସ ଅଲଗା ନିର୍ବାଚନ ଲଢୁଥିବା ବେଳେ ଏସବୁ ସିଟ୍ ଉପରେ ନଜର ରହିବ । ୨୦୨୦ରେ ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗା ପରଠୁ ଆପ ଉପରୁ ସଂଖ୍ୟାଲଘୁ ଭୋଟର ବିଶ୍ବାସ ହରାଇଥିବା କୁହାଯାଉଛି । ତେଣୁ ଏସବୁ ସିଟ୍ କଂଗ୍ରେସ ପାଇଁ ନୂଆ ସୁଯୋଗ ଆଣିପାରେ । ଦଳିତ ଓ ସଂଖ୍ୟାଲଘୁ ବହୁଳ ୨୦ଟି ସିଟ୍ ଦିଲ୍ଲୀ ନିର୍ବାଚନରେ ଗେମଚେଞ୍ଜର ହୋଇପାରେ ।

କଂଗ୍ରେସ-ଆପ୍ ବିଚ୍ଛେଦରେ ବିଜେପିର ଲାଭ !

ଶାସନ ବିରୋଧୀ ଲହର ହେଉ କି ଦୁର୍ନୀତି ଅଭିଯୋଗ ଆସିବା ପରେ ଭୋଟରଙ୍କ ବିମୁଖତା, ଆପ ଏଥର ପୂର୍ବଭଳି ଭୋଟରଙ୍କ ସମର୍ଥନ ପାଇନପାରେ । କଂଗ୍ରେସର ଲଢୁଆ ରଣନୀତି ବିଜେପିକୁ ଲାଭ ଦେଇପାରେ । କାରଣ ବିଜେପି ବିରୋଧୀ ଭୋଟ୍ ଉଭୟ ଆପ୍ ଓ କଂଗ୍ରେସ ମଧ୍ୟରେ ଭାଗ ହେବ । ସେହିପରି ଦଳିତ ଓ ସଂଖ୍ୟାଲଘୁ ଭୋଟ୍ ବି ଭାଗ ହେବ । ଆପ୍ ବିରୋଧରେ ହେଭିଓ୍ବେଟ୍ ନେତାଙ୍କୁ ଓହ୍ଲାଇ କଂଗ୍ରେସ  କଡା ଚ୍ୟାଲେଞ୍ଜ ତ ଦେଉଛି । ହେଲେ ଉଭୟ ଦଳର ଆଭିମୁଖ୍ୟ ପ୍ରାୟ ଏକପ୍ରକାର ରହିଥିବାରୁ ସଂଖ୍ୟା ସମୀକରଣ ହିସାବରେ ବିଜେପି ଲାଭରେ ରହିପାରେ ।

Leave A Reply

Your email address will not be published.