ନୂଆଦିଲ୍ଲୀ: କେମିତି ଆଗାମୀ ଦିଲ୍ଲୀ ନିର୍ବାଚନ ଲଢିବ ବିଜେପି? ଅନ୍ୟ ରାଜ୍ୟ ନିର୍ବାଚନ ବେଳେ ଆକ୍ରାମକ ରହୁଥିବା ବିଜେପି ଦିଲ୍ଲୀରେ ଏକପ୍ରକାର କନଫ୍ୟୁଜଡ ଲାଗୁଛି । ଶାସନ ବିରୋଧୀ ଲହରର ସାମନା କରୁଥିବା ଆମ ଆଦମୀ ପାର୍ଟି ଏଥର ସବୁଠୁ କଷ୍ଟ ନିର୍ବାଚନ ଲଢୁଛି । ତେବେ ବିଜେପି ଦିଲ୍ଲୀରେ ସକ୍ରିୟ ରହିଥିଲେ ବି ନିର୍ବାଚନ ରଣନୀତିକୁ ନେଇ ଦ୍ବନ୍ଦ୍ବରେ ରହିଥିବା ଭଳି ଜଣାପଡୁଛି । ୨୦୧୩ରେ ବିଜେପି ଡକ୍ଟର ହର୍ଷବର୍ଦ୍ଧନଙ୍କ ନେତୃତ୍ବରେ ନିର୍ବାଚନ ଲଢିଥିଲା ତ ୨୦୧୫ରେ କିରଣ ବେଦୀଙ୍କୁ ପାରାସ୍ୟୁଟ ଏଣ୍ଟ୍ରି ଦେଇ ମୁଖ୍ୟମନ୍ତ୍ରୀ ଚେହେରା ବନାଇଥିଲା । ୨୦୨୦ରେ ମୋଦିଙ୍କ ଚେହେରାରେ ନିର୍ବାଚନ ଲଢିଥିଲା ବିଜେପି । ତେବେ ହର୍ଷବର୍ଦ୍ଧନଙ୍କ ନେତୃତ୍ବରେ ହିଁ ସବୁଠୁ ଭଲ ପ୍ରଦର୍ଶନ ସହ ୩୧ସିଟ୍ ଜିତିଥିଲା ଦଳ । ଏଥର କେମିତି ନିର୍ବାଚନ ଲଢିବ ବିଜେପି, ସେନେଇ ସ୍ପଷ୍ଟ ହୋଇପାରିନାହିଁ ।
କେଜ୍ରିଓ୍ବାଲଙ୍କ ଚ୍ୟାଲେଞ୍ଜର କିଏ?
୨୦୧୩ରେ ବିଜେପିକୁ ଭଲ ନେତୃତ୍ବ ଦେଇଥିବା ହର୍ଷବର୍ଦ୍ଧନଙ୍କୁ ଦିଲ୍ଲୀ ରାଜନୀତିରୁ ହଟାଇ କେନ୍ଦ୍ରକୁ ପଠାଗଲା । ୨୦୨୦ରେ ଭୋଜପୁରୀ ଷ୍ଟାର ମନୋଜ ତିଓ୍ବାରୀଙ୍କୁ ଆଗକୁ ରଖାଗଲା । ହେଲେ ପ୍ରବେଶ ବର୍ମା ନା ମନୋଜ ତିଓ୍ବାରୀ ବିଜେପି କାହାକୁ ସାମନାରେ ରଖିଛି ଜଣାପଡିଲାନି । ଏଥର ନୂଆଦିଲ୍ଲୀ ସିଟରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିପକ୍ଷରେ ପ୍ରବେଶ ବର୍ମା ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । ସମାନ ଚର୍ଚ୍ଚା ସ୍ମୃତି ଇରାନୀଙ୍କୁ ନେଇ ବି ହେଉଛି । ଫଳରେ ବିଜେପି ପକ୍ଷରୁ କେଜ୍ରିଓ୍ବାଲଙ୍କ ବିପକ୍ଷରେ କିଏ ଚେହେରା ହେବେ, ସେନେଇ ଚିତ୍ର ସ୍ପଷ୍ଟ ହୋଇପାରିନି ।
ମହିଳାଙ୍କ ପାଇଁ ଯୋଜନା, ପଛରେ ବିଜେପି