ପାଣିରୁ ସୁନା ଛାଣୁଛନ୍ତି ଲୋକେ, ଭଡ଼ାରେ ଆଣୁଛନ୍ତି ମେସିନ୍‌

ଇସଲାମାବାଦ: ପାକିସ୍ତାନରେ ପାଣିରୁ ସୁନା ବାହାର କରୁଛନ୍ତି ଲୋକେ। ହେଲେ ସୁନା ଛାଣିବା ପାଇଁ ଏଠାକାର ଲୋକ ଭଡ଼ାରେ ମେସିନ୍‌ ଆଣୁଛନ୍ତି। ବେଆଇନ ଭାବେ ଜୋରସୋରରେ ଏହି କାମ ଚଳାଇଛନ୍ତି ପାକିସ୍ତାନ ବାସିନ୍ଦା। କିନ୍ତୁ ପାଣିରୁ ସୁନା ବାହାର କରିବା କାମ ବେଆଇନ, ଯାହାକୁ ରୋକିବାକୁ ପୋଲିସ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛି।

ପିକିସ୍ତାନୀ ରିପୋର୍ଟ ଅନୁସାରେ, ଅନୁମତି ନଥିବା ସତ୍ତ୍ୱେ ପାକିସ୍ତାନରେ ସିନ୍ଧୁ ଓ ଅବାସିନ୍‌ ନଦୀରୁ ସୁନା ବାହାର କରାଯାଉଛି। ଖୈବର-ପଖ୍‌ତୁନ୍‌ଖ୍ବା ନୌଶହରାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ଲୋକେ ବେଆଇନ ଭାବେ ସିନ୍ଧୁ ନଦୀରୁ ସୁନା ବାହାର କରୁଛନ୍ତି। ଏଥିପାଇଁ ଲୋକେ ଅନେକ ମେସିନ୍‌ ମଧ୍ୟ ଭଡ଼ାରେ ନେଇଛନ୍ତି। ଅନେକ ଲୋକ ଲକ୍ଷ ଲକ୍ଷ ଟଙ୍କା ଦେଇ ଏକ୍ସକାଭେଟର ମେସିନ୍‌ ଭଡ଼ାରେ ଆଣୁଛନ୍ତି। ଯେଉଁଥିରେ ପାଣିରୁ ବାଲି ବାହାର କରାଯାଇ ସେଥିରୁ ସୁନା ବାହାର କରୁଛନ୍ତି।

ସୂଚନା ଥାଉକି, କିଛି ପଥରରେ ସୁନା ଥାଏ ଏବଂ ତାହା ଗ୍ଲାସିୟର, ବର୍ଷା, ବନ୍ୟା ଆଦିରେ ପାଣିରେ ଭାସି ଆସିଥାଏ। ଏହା ନଦୀ ବାଲିରେ ମିଶି ଯାଇଥାଏ। ଲୋକେ ସେ ବାଲିକୁ ଖୋଳି ନେଇ ସେଥିରୁ ସୁନା କାଢି ନିଅନ୍ତି। କିଛି ସ୍ଥାନରେ ଏହାର ପରିମାଣ ଅଧିକ ଥାଏ, ତେଣୁ ସେଠାରୁ ଅଧିକ ଖନନ କରାଯାଇଥାଏ। ଏଥିପାଇଁ ଲୋକେ ପାଣିରୁ ବାଲି ଛାଣି ଏକ କାର୍‌ପେଟ୍‌ ଉପରେ ଏକାଠି କରନ୍ତି ଏବଂ ସେଥିରୁ ସୁନା ବାହାର କରନ୍ତି।

Leave A Reply

Your email address will not be published.