ମା’ ସମଲେଶ୍ୱରୀଙ୍କ ପୀଠ ଆମ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ

ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ

• ମା’ସମଲେଇଙ୍କ ଦର୍ଶନ ଲାଭ କରିବା ସହ ପ୍ରସାଦ ସେବନ କରିବା ମୋର ସୌଭାଗ୍ୟ
• ସମ୍ବଲପୁରର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କ୍ରିୟାନ୍ୱୟନ କରୁଛନ୍ତି
• ପୁରୁଣା ଅଯୋଧ୍ୟା ସାଗର ବନ୍ଧ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ବିକଶିତ ହେବ
• ହୀରାକୁଦ ବନ୍ଧର ନବୀକରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି
• ସମ୍ବଲପୁର ଭଳି ଐତିହ୍ୟ ସମ୍ପନ୍ନ ଅଞ୍ଚଳକୁ ଆଧୁନିକ ବ୍ୟବସ୍ଥା ସହ ଯୋଡିବା ଲକ୍ଷ୍ୟ

ସମ୍ବଲପୁର, ଜାନୁଆରୀ ୧୮ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରି ସୌଭାଗ୍ୟ ଲାଭ କରିଥିବା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମା’ ସମଲେଶ୍ୱରୀଙ୍କ ପୀଠ ଆମ ଆସ୍ଥା ଓ ବିଶ୍ୱାସର ଅନନ୍ୟ କେନ୍ଦ୍ର । ଆଜି ସମଲେଶ୍ୱରୀ ମନ୍ଦିରରେ ପରିଚାଳନା ବ୍ୟବସ୍ଥା ତରଫରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ପୁନଃ ପ୍ରଚଳନ ହୋଇଛି । ଆଜିର ଅବସରରରେ ମା’ଙ୍କ ଦର୍ଶନ ଲାଭ କରିବା ସହ ପ୍ରସାଦ ସେବନ କରିବା ମୋର ସୌଭାଗ୍ୟ । ଏଥିପାଇଁ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କ୍ରିୟାନ୍ୱୟନ କରୁଛନ୍ତି । ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ‘ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ’ ଅଧୀନରେ ବିକଶିତ କରିବାର କଳ୍ପନା କରାଯାଇଛି । ହୀରାକୁଦ ବନ୍ଧର ନବୀକରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ମା’ ସମଲେଶ୍ୱରୀଙ୍କ ମନ୍ଦିର ପ୍ରକଳ୍ପକୁ କେନ୍ଦ୍ରରେ ରଖି ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଯୋଜନା ହେଉଛି । ସମ୍ବଲପୁର ଭଳି ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ଅଞ୍ଚଳକୁ ଆଧୁନିକ ବ୍ୟବସ୍ଥା ସହ ଯୋଡିବା ପାଇଁ ଡବଲ ଇଞ୍ଜିନ ସରକାର କାମ କରୁଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ସମ୍ବଲପୁର ଗସ୍ତ କାଳରେ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.