ନବ ଦାସ ହତ୍ୟା…ସତ ଲୁଚାଇବାକୁ ଷଡ଼ଯନ୍ତ୍ର !

ଭୁବନେଶ୍ବର: ନବ ଦାସଙ୍କ ହତ୍ୟାକୁ ନେଇ ସାମନାକୁ ଆସୁଛି ଗୋଟିଏ ପରେ ଗୋଟେ ଚାଞ୍ଚଲ୍ୟକର ତଥ୍ୟ । ପ୍ରଥମେ ଏକାଧିକ ବନ୍ଧୁକରୁ ଗୁଳି ମାଡ ନେଇ ତଥ୍ୟ ଆସିବା ପରେ ଏବେ ସନ୍ଦେହ ବଢାଇଛି ନବ ଦାସଙ୍କ ରକ୍ତଭିଜା ସାର୍ଟ ପୋଡିଦେବା ଘଟଣା । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଗଲା । ଏଭଳି ସମ୍ବେଦନଶୀଳ ଘଟଣା ସମୟରେ ନବ ପିନ୍ଧିଥିବା ସାର୍ଟକୁ ହସପିଟାଲ କର୍ତ୍ତୃପକ୍ଷ ପୋଡିବାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଆଉ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ । ହତ୍ୟା ସମୟରେ ସେ ହଳଦିଆ ସାର୍ଟ ପିନ୍ଧିଥିଲେ, ତେବେ ସାର୍ଟର ରଙ୍ଗ କେମିତି ଧଳା ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ଘଟଣା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା ବେଳେ ଏହାର ସତ୍ୟାସତ୍ୟ ନେଇ ମାମଲାର ତଦନ୍ତକାରୀ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ।

ସାର୍ଟ ପୋଡି ପଛରେ ସତ ଲୁଚାଇବାକୁ ପ୍ଲାନ୍ !

କୁଆଡେ ଗଲା ନବ ଦାସଙ୍କ ରକ୍ତଭିଜା ସାର୍ଟ? ଘଟଣା ଦିନ ନବ ଦାସ ପିନ୍ଧିଥିବା ରକ୍ତଭିଜା ସାର୍ଟ ସିଜର ତାଲିକାରେ ନଥିବା ନେଇ ପ୍ରଶ୍ନ ଉଠିଥିଲା। ଏବେ ନବଙ୍କ ସାର୍ଟକୁ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଭୁବନେଶ୍ବରର ଏକ ହସ୍ପିଟାଲରେ ନବଙ୍କ ସାର୍ଟ ପୋଡି ଦିଆଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ସାର୍ଟ ଓ ପ୍ୟାଣ୍ଟ ପୋଡି ଦିଆଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି । ସବୁଠୁ ବଡ଼ କଥା ହେଲା, ୨୦୨୩ରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ସେ ସମୟରେ ରାଜ୍ୟରେ କୋଭିଡ୍ ପ୍ରୋଟୋକଲ୍ ଲାଗୁ ନଥିଲା । ତେବେ ପ୍ରଶ୍ନ ଉଠୁଛି, କାହିଁକି ହସ୍ପିଟାଲ୍ କର୍ତ୍ତୃପକ୍ଷ ନବଙ୍କ ସାର୍ଟ ପୋଡିଲେ? ଏଥିପାଇଁ ତାଙ୍କୁ କିଏ ଅନୁମତି ଦେଲା? ଜଣେ ମନ୍ତ୍ରୀଙ୍କୁ ହତ୍ୟା ମାମଲାରେ ଏଭଳି ଦାୟିତ୍ବହୀନ କାର୍ଯ୍ୟ କାହିଁକି? ନା ପ୍ରମାଣ ଲୁଚାଇବାକୁ ହୋଇଥିଲା ବିଧିବଦ୍ଧ ଷଡ଼ଯନ୍ତ୍ର?

କେମିତି ବଦଳିଲା ସାର୍ଟ ରଙ୍ଗ?

ଗୋଟେପଟେ ନବ ଦାସଙ୍କ ସାର୍ଟକୁ ହସ୍ପିଟାଲ କର୍ତ୍ତୃପକ୍ଷ ପୋଡି ଦେଇଥିବା କୁହାଯାଉଛି, ଅନ୍ୟପଟେ ମୁଖ୍ୟ ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳିବାକୁ ନେଇ ପ୍ରଶ୍ନ ଉଠିଛି । ୨୦୨୩ ଜାନୁଆରୀ ୨୯ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ସମୟରେ ବିଜେଡି କର୍ମୀ ତଥା ଘଟଣାର ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ନବଙ୍କୁ ଗୁଳିମାଡ଼ ପରେ ତାଙ୍କୁ ଶୁଭେନ୍ଦୁ ପଟ୍ଟନାୟକ ଓ ଦ୍ବାରିକାନାଥ ପଣ୍ଡା ଉଠାଇ କାର ଭିତରକୁ ନେଇଥିଲେ । ଏହି ସମୟରେ ଶୁଭେନ୍ଦୁଙ୍କ ସାର୍ଟରେ ମଧ୍ୟ ରକ୍ତ ଲାଗିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ତେବେ ରେକର୍ଡ ବୟାନରେ ରକ୍ତଲଗା ଧଳାସାର୍ଟ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରାଯାଇଥିବା ଉଲ୍ଲେଖ ହୋଇଥିଲା । ପ୍ରଶ୍ନ ଉଠୁଛି, କାହିଁକି କ୍ରାଇମବ୍ରାଞ୍ଚ ବୟାନ ରେକର୍ଡ ସମୟରେ ସାର୍ଟର ରଙ୍ଗ ବଦଳାଇ ଦେଇଛି? ସେପଟେ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରପର୍ଟି ସିଜର ମେମୋରେ ଶୁଭେନ୍ଦୁଙ୍କ ହଳଦିଆ ରଙ୍ଗର ହାଫ୍ ସାର୍ଟ ଜବତ ହୋଇଥିବା ଲେଖାଯାଇଛି ।

ଗୋପାଳକୁ ଖସାଇବାକୁ ପ୍ଲାନ୍ !

ନବ ଦାସଙ୍କ ହତ୍ୟା ମାମଲା ପରି ହାଇପ୍ରୋଫାଇଲ୍ କେସରେ ଏହା କ୍ରାଇମବ୍ରାଞ୍ଚର ଖାମଖିଆଲି ମନୋଭାବ ନା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଖସାଇଦେବାକୁ ବିଧିବଦ୍ଧ ଯୋଜନା, ସେନେଇ ପ୍ରଶ୍ନ ଉଠୁଛି । ପ୍ରଥମେ ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରେଟାରୀ ରିପୋର୍ଟରେ ଏକାଧିକ ବନ୍ଧୁକରୁ ଗୁଳି ଚାଲିଥିବା ନେଇ ତଥ୍ୟ ଆସିଥିଲା । ପୁଣି ନବ ଦାସଙ୍କ ଛାତିରେ ବାଜିଥିବା ଗୁଳି ମିଳିନଥିବାରୁ ଗୋପାଳ ବନ୍ଧୁକ ଗୁଳିରୁ ହିଁ ନବଙ୍କ ମୃତ୍ୟୁ ହୋଇଛି କି ନାହିଁ ପ୍ରଶ୍ନ ଉଠିଥିଲା । ଏବେ ନବ ଦାସଙ୍କ ରକ୍ତଭିଜା ସାର୍ଟ ପୋଡି ଦିଆଯିବା ଓ ମୁଖ୍ୟ ସାକ୍ଷୀଙ୍କ ସାର୍ଟ ରଙ୍ଗ ବଦଳିଯିବା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନବାଚୀ ଲଗାଇଛି । ପ୍ରକୃତରେ ଦୋଷୀକୁ ଖୋଜିବାକୁ ତଦନ୍ତ ହୋଇଥିଲା ନା ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ହୋଇଥିଲା ? ନବ ଦାସଙ୍କ ହତ୍ୟାର ସତ ଲୁଚାଇବାକୁ କିଏ ଓ କାହିଁକି ଚାହୁଁଥିଲେ? ହତ୍ୟା ପଛରେ କିଏ କରିଥିଲେ ଷଡ଼ଯନ୍ତ୍ର? ନବଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ମାମଲାରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ନଷ୍ଟ ହୋଇଯାଇଛି । ତେଣୁ ସିବିଆଇ ତଦନ୍ତ କଲେ ବି କେଉଁ ଆଧାରରେ ଛାନବିନ୍ କରିବ, ତାକୁ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.