କୋଲକାତା: କୋଲକାତା ଆରଜି କର୍ ମେଡିକାଲ କଲେଜ ଘଟଣା ମାମଲାରେ ସିଆଲଦା କୋର୍ଟଙ୍କ ଦଣ୍ଡାଦେଶକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଥମ ଦିନରୁ ଏଭଳି ରାକ୍ଷସକୁ ଫାଶି ଦଣ୍ଡ ହେଉ ବୋଲି ଚାହୁଁଥିଲି । ଫାଶି ଦଣ୍ଡ ହୋଇଥିଲେ ମୋତେ ଶାନ୍ତି ମିଳିଥାନ୍ତା ବୋଲି କହିଛନ୍ତି ମମତା ବାନାର୍ଜୀ।
ଦଣ୍ଡାଦେଶ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି ଯେ, ଘଟଣାର ପ୍ରଥମ ଦିନରୁ ହିଁ ଦୋଷୀକୁ ଫାଶି ଦିଆଯାଉ ବୋଲି ମୁଁ ଚାହୁଁଥିଲେ । ତେବେ କୋର୍ଟଙ୍କ ଏହି ରାୟ ପାଇଁ ମମତା ସିବିଆଇ ତଦନ୍ତକୁ ଦାୟୀ କରିଛନ୍ତି। ମମତା କହିଛନ୍ତି, ସିବିଆଇ ଠିକ ଭାବେ ତଦନ୍ତ କରି ନ ଥିବାରୁ ଅଦାଲତ ଦୋଷୀକୁ ଏପରି ଦଣ୍ଡ ଦେଲେ । ସେପଟେ କୋଲକାତା ପୋଲିସ ଯଦି ମାମଲାର ସଠିକ୍ ତଦନ୍ତ କରିଥିନ୍ତା ତେବେ ଦୋଷୀକୁ ନିଶ୍ଚିତ ରୂପେ ଫାଶୀ ଦଣ୍ଡ ମିଳିଥାଆନ୍ତା ବୋଲି କହିଛନ୍ତି ମମତା
ସୂଚନା ଅନୁସାରେ, ଗତକାଲି ଆରଜି କର୍ ମେଡିକାଲ କଲେଜରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋଲକାତା ସିଆଲଦା କୋର୍ଟ ରାୟ ଶୁଣାଇଛନ୍ତି । ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ପୂର୍ବରୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଗତକାଲି ଅଭିଯୁକ୍ତକୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି କୋଲକାତା ସିଆଲଦା କୋର୍ଟ । ଅଭିଯୁକ୍ତ ସଞ୍ଜୟ ଉପରେ ଭାରତୀୟ ନ୍ୟାୟ ସଂହିତାର ୩ଟି ଧାରା ଅନୁଯାୟୀ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। ସେପଟେ କୋର୍ଟ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ସିବିଆଇ ଏହି ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଥିଲା। କିନ୍ତୁ ବିଚାରପତିଙ୍କ କହିବା ଅନୁସାରେ, ଏହା କୌଣସି ବିରଳ ମାମଲା ନୁହେଁ, ତେଣୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ । ଅନ୍ୟପଟେ ଏନେଇ ପୀଡିତାଙ୍କ ବାପା ମାଆ କୋର୍ଟରେ କ୍ଷତିପୂରଣ ନୁହେଁ ବରଂ ନ୍ୟାୟ ଚାହୁଁଛୁ ବୋଲି କହିଥିଲେ । ଗୋଟେପଟେ କୋର୍ଟର ନ୍ଯାୟ ଠିକ୍ ହୋଇନାହିଁ ବୋଲି ପୀଡିତାଙ୍କ ବାପା ମାଆ କହିଥିବା ବେଳେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ମଧ୍ଯ ସମାନ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୪ ଅଗଷ୍ଟ ୯ ତାରିଖରେ ଆରଜି.କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ରୁମରୁ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣା ପୁରା ରାଜ୍ୟ ତଥା ଦେଶରେ ଚହଳ ସୃଷ୍ଟି କରିଥିଲା । ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ କୋଲକାତା ସମେତ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଅଭିଯୋଗ ହେବାର କିଛି ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା ।