ଟ୍ରମ୍ପଙ୍କ ଘୋଷଣା ପରେ ଆମେରିକା ଉପରେ ଟାରିଫ ଲଗାଇବ କାନାଡା

ୱାଶିଂଟନ: ଟାରିଫ୍ ବଦଳରେ ଟାରିଫ୍। ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୋଧରେ ଭାରି ଟାରିଫ୍ ଲାଗୁ କରିବା ପରେ ଏକପ୍ରକାର ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଛି।

ଯାହାପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କର ଜବାବରେ ସରକାର ୧୫୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବ। ଏଥିସହିତ ଟ୍ରୁଡୋ ଜନତାଙ୍କୁ ସ୍ୱଦେଶୀ ଉତ୍ପାଦ କିଣିବା ସହ ଦେଶ ଭିତରେ ଛୁଟି ପାଳନ କରିବାକୁ ନିବେଦନ କରିଛନ୍ତି। କାରଣ ବହୁ ସଂଖ୍ୟାରେ କାନାଡା ନାଗରିକମାନେ ଛୁଟି ପାଳନ କରିବା ପାଇଁ ଆମେରିକା ବୁଲି ଯାଇଥାନ୍ତି। ଯାହାଫଳରେ ଆମେରିକାର ଆୟ ବଢିଥାଏ।

ଶୁଳ୍କ ଲାଗୁ ବିରୋଧରେ ଚୀନ୍ ବିଶ୍ୱ ବାଣିଜ୍ୟ ସଂଗଠନକୁ ଯିବାକୁ ଧମକ ଦେଇଛି। ଚୀନ ବାଣିଜ୍ୟ ମନ୍ତ୍ରଣାଳୟର କହିବାନୁଯାୟୀ, ଆମେରିକାର ଏକପାଖିଆ ଶୁଳ୍କ ବୃଦ୍ଧି ବିଶ୍ୱ ବାଣିଜ୍ୟ ସଂଗଠନ ନିୟମର ଉଲ୍ଲଂଘନ।

ଅପରପକ୍ଷରେ ଶନିବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସବୁଠାରୁ ବଡ଼ ବାଣିଜ୍ୟିକ ସହଯୋଗୀ କାନାଡା, ମେକ୍ସିକୋ ଏବଂ ଚୀନ୍ ବିରୋଧରେ ଶୁଳ୍କ ଘୋଷଣା କରିଥିଲେ। ତେବେ ଟ୍ରମ୍ପ କାନାଡା ଏବଂ ମେକ୍ସିକୋ ବିରୁଦ୍ଧରେ ୨୫% ଶୁଳ୍କ ଏବଂ ଚୀନ ବିରୁଦ୍ଧରେ ଅତିରିକ୍ତ ୧୦% ଶୁଳ୍କ ଲାଗୁ ନେଇ ଘୋଷଣା କରିଥିଲେ। ଯାହାପରେ ଏହି ବାଣିଜ୍ୟିକ ଯୁଦ୍ଧ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.