ଭୁବନେଶ୍ୱର: ଶଙ୍ଖ ଭବନରେ ବସିଲା ବିଜେଡି ସମନ୍ୱୟ କମିଟି ବୈଠକ। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଓଡି଼ଆ ନୂଆ ବର୍ଷ ପୂର୍ବରୁ ସରିବ ବିଜେଡି ସାଂଗଠନିକ ନିର୍ବାଚନ। ଆଜି ବସିଥିବା ସମନ୍ବୟ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ। ବୈଠକରେ ସମନ୍ୱୟ କମିଟିର ୧୩ ସଦସ୍ୟ ଏବଂ ଅନ୍ୟ କର୍ମୀ ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇଥିଲେ।
ବୈଠକରେ ଆଗକୁ ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନ ବିଷୟରେ ଆଲୋଚନା ହୋଇଛି। ତେବେ ଏହି ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ। ଏହା ପରେ ପରେ ବିଧାନସଭାମଣ୍ଡଳିୱାରୀ ନିର୍ବାଚନ ଅଧିକାରୀ ବା ଏଆରଓ ନିଯୁକ୍ତି ହେବେ ବୋଲି ଅମାତ ଗଣମାଧ୍ଯମକୁ କହିଛନ୍ତି। ଏହାପରେ କାର୍ଯ୍ୟକାରିଣୀ କମିଟି ସଦସ୍ଯ, ଷ୍ଟେଟ କାଉନସିଲ ସଦସ୍ଯ ନିର୍ବାଚିତ ହୋଇ ରାଜ୍ଯ ସଭାପତି ଚୟନ କରିବେ।
ଏହାସହ ଦଳୀୟ ସଭାପତି ମଧ୍ୟ ନିର୍ବାଚିତ ହେବେ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ। ସେଥିପାଇଁ ଏସଆରଓ ପ୍ରତାପ ଦେବ ଆସିଥିଲେ। ସେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଠିକ ଭାବେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ମଣ୍ଡଳୀ ନେତା ଓ ଜିଲ୍ଲା ନେତାଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।