ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନଙ୍କର ବୈଠକ ଶେଷ ହୋଇଛି । ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ହେବା ସହ ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି ଏହା ସହ ୨୦୨୬-୩୧, ଏହି ପାଞ୍ଚବର୍ଷ ପାଇଁ ରାଜ୍ୟ ସରକାର ଓଡିଶା ପାଇଁ ୧୨,୫୯,୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ଦାବି ବିଷୟରେ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ଭରଣା ପାଇଁ ୯,୮୮,୪୨୨ କୋଟି ଟଙ୍କା, ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ ପାଇଁ ୧,୧୦,୪୩୪ କୋଟି ଟଙ୍କା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକାଲ ବଡି ମାନଙ୍କ ପାଇଁ ଅନୁଦାନ ବାବଦରେ ୧, ୦୦,୦୩୬ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୩୧,୦୦୪ କୋଟି ଟଙ୍କା ଏବଂ ରାଜ୍ୟ ବିପର୍ୟ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨୯,୨୫୨ କୋଟି ଦାବି ରଖା ଯାଇଛି ।
କମିଶନଙ୍କ ନିକଟରେ ରାଜ୍ୟର ପ୍ରମୁଖ ଦାବି ଗୁଡିକର ଆଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ, କେନ୍ଦ୍ର ସରକାରଙ୍କ ଟିକସ ଆୟର ୪୧% ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଉଛି । ଏହା ୪୧% ରୁ ୫୦%କୁ ବୃଦ୍ଧି କରିବା ପାଇଁ ଆମେ ଦାବି କରିଛୁ ।
କେନ୍ଦ୍ର ସରକାରଙ୍କ ଟିକସ ଆୟର ଯେଉଁ ଅଂଶ ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଏ, ତାହା ରାଜ୍ୟମାନଙ୍କ ମଧ୍ୟରେ ଏକ ନିର୍ଦ୍ଧାରିତ ସୂତ୍ର ଆଧାରରେ ବଣ୍ଟାଯାଏ, ଯେଉଁଥିରୁ ଓଡ଼ିଶା ୪.୫୨୮% ଭାଗ ପାଇଥାଏ । ଓଡିଶାର ଭାଗକୁ ୪.୯୬୪ %କୁ ବୃଦ୍ଧି କରିବା ପାଇଁ ଆମେ ଦାବି ରଖିଛୁ ।
୧୬ଶ ଅର୍ଥ କମିଶନ, ୨୦୨୬-୩୧ ଅବଧି ପାଇଁ, କେନ୍ଦ୍ର ଦ୍ଵାରା ଆକଳନ କରାଯାଇଥିବା ମୋଟ୍ ରାଜସ୍ୱ ପ୍ରାପ୍ତିର ୨ ପ୍ରତିଶତ ଗ୍ରାମୀଣ ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥା ପାଇଁ ଅନୁଦାନ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ଓଡ଼ିଶା ଗ୍ରାମୀଣ ଓ ସହରୀ ସ୍ଥାନୀୟ ନିକାୟ ସଂସ୍ଥାମାନେ କେନ୍ଦ୍ର ସରକାର ଠାରୁ ଅଧିକ ଆର୍ଥିକ ଅନୁଦାନ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (SDRF) ପାଇଁ ଦିଆଯାଉଥିବା ବାର୍ଷିକ ଅନୁଦାନର ୭୫% କେନ୍ଦ୍ର ସରକାର ବହନ କରେ ଓ ଅବଶିଷ୍ଟ ୨୫% ରାଜ୍ୟ ସରକାର ବହନ କରିଥାଏ । ଏହାକୁ କେନ୍ଦ୍ର ସରକାର ୧୦୦%ବହନ କରୁ ବୋଲି ଆମେ ଦାବୀ କରିଛୁ ବୋଲି ସେ କହିଥିଲେ ।
ଏତଦ୍ ବ୍ୟତୀତ ସ୍ୱାସ୍ଥ୍ୟ, ଜଳ ଯୋଗାଣ ଓ ପରିମଳ ଏବଂ ବାର୍ଦ୍ଧକ୍ୟ ସୁରକ୍ଷା ଇତ୍ୟାଦି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ ସୁପାରିଶ ପାଇଁ କମିଶନଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଡ. ଅରବିନ୍ଦ ପାନାଗରିଆଙ୍କ ଅଧ୍ୟକ୍ଷତାରେ ୧୬ଶ ଅର୍ଥ କମିଶନ ଫେବୃଆରୀ ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ଥାନୀୟ ଆଇ.ଟି.ସି ହୋଟେଲ୍ ଠାରେ ଅର୍ଥ କମିଶନ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ମାନଙ୍କ ସହିତ ଓଡିଶାର ଲକ୍ଷ୍ୟ, ଆବଶ୍ୟକତା ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।