ବୌଦ୍ଧରେ ବିଜେପି କର୍ମୀଙ୍କ ନାରା-‘ପାଣ୍ଡିଆନ୍ ଫେରିଯାଅ’

ବୌଦ୍ଧ: ପ୍ରଥମେ ଜଗତସିଂହପୁର, ତା ପରେ ସୁବର୍ଣ୍ଣପୁର ଏବଂ ଆଜି ବୌଦ୍ଧରେ ୫ଟି ସଚିବଙ୍କୁ ବିରୋଧ ।  ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକର୍ତ୍ତାମାନେ ବୁଧବାର କଳା ପତାକା ପ୍ରଦର୍ଶନ କରି ୫ଟି ସଚିବଙ୍କ ବୌଦ୍ଧ ଗସ୍ତକୁ ବିରୋଧ କରିଛନ୍ତି । ଏଥିସହିତ  ବିଜେପି କାର୍ଯ୍ୟକର୍ତ୍ତାମାନେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ସ୍ଲୋଗାନ ଦେଇ   ସଭା ସ୍ଥଳରେ ହଙ୍ଗାମା କରିଛନ୍ତି । 

ବୁଧବାର ୫ଟି ସଚିବ ଭିକେ ପାଣ୍ଡିଆାନ ବୌଦ୍ଧ ଗସ୍ତରେ ଯାଇଥିଲେ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବ ଗାଁରେ ଫାଇଭ-ଟି ସଚିବଙ୍କ କାର୍ଯ୍ୟକ୍ରମ ଥିବାବେଳେ  ବିଜେପି କର୍ମୀମାନେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ । ଏପରିକି ସଭା ସ୍ଥଳକୁ ଯିବା ପାଇଁ ଥିବା ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳା ପତାକା ପଦର୍ଶନ କରିଥିଲେ । ବିଜେପି କର୍ମୀମାନେ ‘ପାଣ୍ଡିଆନ ଗୋ ବ୍ୟାକ’ ନାରା ଦେବା ସହ ସଭାସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ  ପୁଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା ।

ବିଜେପି କର୍ମୀମାନେ ‘ପାଣ୍ଡିଆନ କିଏ ଏବଂ ତାଙ୍କର କ’ଣ ଅଧିକାର ଅଛି’ ବୋଲି ପ୍ରଶ୍ନ କରିଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ଶାସନ ବ୍ୟବସ୍ଥା ହାଇଜାକ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର ଅଭିଯୋଗ ଆଣିଥିଲେ  ।

ଏଠି କହିରଖିବୁ, ଜୁନ ୨୯ରେ ଜଗତସିଂହପୁରରେ ୫ଟି ସଚିବଙ୍କୁ ବିରୋଧ କରି ବିଜେପି ନେତା ତଥା କର୍ମୀମାନେ କଳା ରଙ୍ଗର ବେଲୁନ ଆକାଶରେ ଉଡାଇ ବିରୋଧ ପ୍ରଦର୍ଶନ କରିଥିଲେ । ସେହିପରି ଗତକାଲି ଅର୍ଥାତ ମଙ୍ଗଳବାର ଦିନ ସୁବର୍ଣ୍ଣପୁରରେ ମଧ୍ୟ ୫ଟି ସଚିବ ପାଣ୍ଡିଆନଙ୍କ ଗସ୍ତକୁ ବିଜେପି ସହିତ ଆପ ପକ୍ଷରୁ ବିରୋଧ କରାଯାଇଥିଲା । ଗତକାଲି  ଆପ କାର୍ଯ୍ୟକର୍ତ୍ତାମାନେ  କୋଟା ସାମଲାଇ-ଉଲୁଣ୍ଡା ରାସ୍ତା ନିକଟରେ ପାଣ୍ଡିଆନଙ୍କ କାରକେଡକୁ  ଅଣ୍ଡା ଫିଙ୍ଗିଥିଲେ।

Leave A Reply

Your email address will not be published.