ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ପ୍ରେମିକା ପାଉଲା ହର୍ଡଙ୍କ ସହ ତାଙ୍କ ସମ୍ପର୍କର ଖୁଲାସା କରିଛନ୍ତି।
ବିଲ୍ ଗେଟ୍ସ ୨୦୨୧ ମସିହାରେ ମେଲିଣ୍ଡା ଗେଟ୍ସଙ୍କଠାରୁ ଛାଡପତ୍ର ନେଇଥିଲେ ଓ ଏହାର ଦୁଇବର୍ଷ ପରେ ଅର୍ଥାତ ୨୦୨୩ ମସିହା ପରଠାରୁ ଉଭୟ ବିଲ୍ ଗେଟ୍ସ ଓ ପାଉଲା ହର୍ଡ ପରସ୍ପର ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଥିଲା।
ତେବେ ପାଉଲା ହର୍ଡ ଓରାକଲ୍ ସିଇଓ ମାର୍କ ହର୍ଡଙ୍କ ପତ୍ନୀ ଥିଲେ। ମାର୍କ ହର୍ଡ ୨୦୧୯ ମସିହାରେ କ୍ଯାନ୍ସର ରୋଗରେ ମୃତ୍ୟୁବରଣ କରିଥିଲେ। ତେବେ ପାଉଲାଙ୍କର ଦୁଇଟି ଝିଅ ଅଛନ୍ତି ଓ ତାଙ୍କ ସ୍ୱାମୀ ପ୍ରାୟ ୫୦୦ ନିୟୁତ ଡଲାର ମୂଲ୍ୟର ସମ୍ପତ୍ତି ସେମାନଙ୍କ ପାଇଁ ଛାଡ଼ି ଯାଇଛନ୍ତି। ଶିକ୍ଷାଗତ ଯୋଗ୍ୟତାକୁ ଦେଖିବାକୁ ଗଲେ ପାଉଲା ଟେକ୍ସାସ ବିଶ୍ୱବିଦ୍ୟାଳୟରୁ ବିଜନେସ ଆଡମିନିଷ୍ଟ୍ରେସନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓ ସେ ନ୍ୟାସନାଲ କ୍ୟାସ୍ ରେଜିଷ୍ଟର ନାମକ ଏକ କମ୍ପାନୀରେ କାମ ମଧ୍ଯ କରିଛନ୍ତି। ପାଉଲା ଅନେକ ସଂଗଠନଗୁଡ଼ିକୁ ଯଥେଷ୍ଟ ପରିମାଣରେ ଦାନ ମଧ୍ଯ ପ୍ରଦାନ କରିଥାନ୍ତି।
ସୂଚନା ଅନୁଯାୟୀ, ବିଲ୍ ଗେଟ୍ସ ଏବଂ ପାଉଲା ୨୦୧୫ ମସିହାରେ ଏକ ଟେନିସ୍ ମ୍ୟାଚରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ। ଦୁହିଁଙ୍କର ଅନେକ ସାଙ୍ଗ ପରସ୍ପରକୁ ଜାଣିଥିବାରୁ ଅନେକ ସମୟରେ ସେମାନଙ୍କର ସାକ୍ଷାତ ହେଉଥିଲା। ପାଉଲାଙ୍କ ସ୍ୱାମୀଙ୍କ ମୃତ୍ୟୁ ଏବଂ ବିଲ୍ ଗେଟ୍ସଙ୍କ ଛାଡପତ୍ର ପରେ ଦୁହିଁଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା।
ତେବେ ଟାଇମ୍ସ ଅଫ୍ ଲଣ୍ଡନକୁ ଦେଇଥିବା ଏକ ସାକ୍ଷାତକାରରେ ୬୯ ବର୍ଷୀୟ ବିଲ୍ ଗେଟ୍ସ ଛାଡପତ୍ରକୁ ନେଇ ମନରେ ଅନୁତାପ ରହିଥିବା କଥା ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ଆମର ତିନୋଟି ପିଲା ଏବଂ ଆମେ ଯେତିକି ସମୟ ଏକାଠି ଅତିବାହିତ କରିଛୁ ତାହା ଅମୂଲ୍ଯ ଅଟେ”। ବିବାହର ୨୭ ବର୍ଷ ପରେ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସଙ୍କଠାରୁ ଛାଡପତ୍ର ତାଙ୍କ ଜୀବନର ସବୁଠାରୁ ବଡ ଦୁଃଖ।
ସେ ଆହୁରି ମଧ୍ଯ କହିଛନ୍ତି, ମୁଁ ଭାଗ୍ୟବାନ ଯେ ପାଉଲା ମୋର ଗାର୍ଲଫ୍ରେଣ୍ଡ। ଆମେ ମଜା କରୁଛୁ, ଅଲିମ୍ପିକ୍ସକୁ ଯାଉଛୁ ଏବଂ ଏକାଠି ଅନେକ ଭଲ ଜିନିଷ ଉପଭୋଗ କରୁଛୁ।