ରକ୍ତମୁଖା ଲାଲବାହିନୀ: ସରପଞ୍ଚ ପ୍ରାର୍ଥୀଙ୍କୁ ଘରୁ ଟାଣି ଆଣି ଗାଁ ଦାଣ୍ଡରେ କଲେ ହତ୍ୟା

ଦନ୍ତେୱାଡା: ପୁଣି ରକ୍ତମୁଖା ହେଲା ଲାଲବାହିନୀ। ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ହିଂସା। ଅରନପୁର ଥାନା ଅଞ୍ଚଳରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କଲେ ମାଓବାଦୀ। ମୃତକ ଜଣଙ୍କ ହେଲେ ଯୋଗା ବାରଷେ। ଯୋଗାଙ୍କୁ ଘରୁ ଟାଣି ଆଣି ମାଓବାଦୀମାନେ ଗାଁ ଦାଣ୍ଡରେ ହତ୍ୟା କରିଛନ୍ତି।

ଏହି ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର୍ କରାଯାଇଛି। ସୂଚନାନୁଯାୟୀ, ଗୁରୁବାର ରାତିରେ ମାଓବାଦୀମାନେ ଯୋଗା ବାରଷେଙ୍କ ଘରେ ପଶି ତାଙ୍କୁ ଟାଣି ଆଣିଥିଲେ। ଗାଁ ଦାଣ୍ଡରେ ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିଲେ। ଯୋଗା ବାରଷେ ପୂର୍ବରୁ ସିପିଆଇ ସଦସ୍ୟ ଥିଲେ। ହେଲେ କିଛି ଦିନ ପୂର୍ବରୁ ସେ ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ଯାହାଫଳରେ ମାଓବାଦୀମାନେ ତାଙ୍କ ଉପରେ ରାଗ ଏପରି କାଣ୍ଡ କରିଥିବା କୁହାଯାଉଛି।

ସୂଚନା ଥାଉକି, ଛତିଶଗଡରେ ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ମାଓବାଦୀମାନେ ଏହାକୁ ବିରୋଧ କରୁଛନ୍ତି। ଜନ ପ୍ରତିନିଧିମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ତେବେ ନକ୍ସଲମାନେ ଗତ ୪ ଦିନ ମଧ୍ୟରେ ୪ ଜଣ ଲୋକଙ୍କୁ ହତ୍ୟା କରିଛନ୍ତି। ଏହି ସବୁ ଘଟଣା ପଞ୍ଚାୟତ ନିର୍ବାଚନ ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.