ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଛି । ତେବେ ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଅସୁସ୍ଥତା କାରଣରୁ ୬ ଦିନ ପୂର୍ବରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଦିନ ପ୍ରାୟ ସାଢେ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
୧୯୪୧ ମସିହା ଜୁଲାଇ ୧୬ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଦେବେନ୍ଦ୍ର ପ୍ରଧାନ । ତାଙ୍କର ଦୃଢ ଇଛା ଶକ୍ତି ତାଙ୍କୁ ରାଜନୈତିକ କ୍ଷେତ୍ରକୁ ଆଣିଦେଇଥିଲା । ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦେବେନ୍ଦ୍ର । ୧୯୮୦ରୁ ୧୯୮୩ ପର୍ଯ୍ୟନ୍ତ ଦେବେନ୍ଦ୍ର ତାଳଚେର ମଣ୍ଡଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୩ ରୁ ୧୯୮୮ ପର୍ଯ୍ୟନ୍ତ ସେ ଢେଙ୍କାନାଳ ଜିଲ୍ଲା ବିଜେପିର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତା’ପରେ ୧୯୮୮ ମସିହା ରୁ ୧୯୯୩ ମସିହା ପର୍ଯ୍ୟନ୍ତ ରାଜ୍ୟ ବିଜେପିର ସଭାପତି ଥିଲେ ଦେବେନ୍ଦ୍ର । ଏହାପରେ ୧୯୯୩ ରୁ ୧୯୯୫ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ । ଏହାପରେ ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ ଦେବେନ୍ଦ୍ର । ୧୯୯୮ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଦେବେନ୍ଦ୍ର ପ୍ରଧାନ । ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ସେ ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ ।
ଅନ୍ୟପଟେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିରୋଧି ନେତା ନବୀନ ପଟ୍ଟନାୟକ । ନବୀନ ଏକ ପୋଷ୍ଟ କରି ସ୍ବର୍ଗତ ଡ଼କ୍ଟର ପ୍ରଧାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଯେ, ସ୍ବର୍ଗତ ଡ଼କ୍ଟର ପ୍ରଧାନ ତାଙ୍କର ଅତୁଳନୀୟ ସାଂଗଠନିକ ଦକ୍ଷତା ଓ ଅମାୟିକ ବ୍ୟକ୍ତିତ୍ୱ ପାଇଁ ସ୍ମରଣୀୟ ହୋଇ ରହିବେ । ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ ବିଭାଗ ଦାୟିତ୍ୱରେ କାର୍ଯ୍ୟ କରି ତାଙ୍କ ପ୍ରଶାସନିକ ଦକ୍ଷତାର ମଧ୍ୟ ପରିଚୟ ଦେଇ ଯାଇଛନ୍ତି ସେ । ଡ଼କ୍ଟର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ଜଣେ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ଓ ଲୋକପ୍ରିୟ ରାଜନେତାଙ୍କୁ ହରାଇଲା ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତରେ କହିଛନ୍ତି । ସେହିପରି ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶ୍ରୀ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।