ପୁରୀ: ରାଜ୍ୟ ଦେଖିବ ଆମ ଦେଶର ନୌସେନାଙ୍କ ବୀରତ୍ଵ । ନୌସେନା ଦିବସ ଅବସରରେ ଆସନ୍ତା ୪ ତାରିଖରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା। ଏହି ଶକ୍ତି ପ୍ରଦର୍ଶନରେ ସାମିଲ ହେବେ ନୌସେନାର ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ । ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତ୍ର ମୁତୟନ ଥିବାରୁ ଏଥିରେ ସାମିଲ ହୋଇପାରିବନି ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ନୌସେନା ଅଧିକାରୀ ।
ତେବେ ଦିଗବାରିଣୀ ଛକରୁ ବଳିଆପଣ୍ଡା ବେଳାଭୂମିରେ ସୋ ଦେଖିପାରିବେ ଲୋକ । ଏଥୋରେ ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ । ସେଥିପାଇଁ ଆଜି ଓ କାଲି ଫୁଲ୍ ଡ୍ରେସ ରିହରସାଲ କରାଯିବ । ସେହିପରି ପୁରୀ ବେଳାଭୂମିରେ ଡ୍ରୋନ ଶୋ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ନ ଯିବାକୁ ଅପିଲ୍ କରିଛନ୍ତି ପୁରୀ ଜିଲ୍ଲାପାଳ । ୪ତାରିଖ ଦିନ ହାଇ ସିକ୍ୟୁରିଟି କବଳରେ ରହିବ ପୁରୀ ସହର ।
ସେହିପରି ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିଏନଆର୍ ହୋଟେଲ୍ ଠାରୁ ଆଚାର୍ଯ୍ୟ ହରିହର ଛକ ଏବଂ ପୁରୁଣା ସଦରଥାନା ଛକଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ ହୋଇଛି । ଯେଉଁଠି ଜନଗହଳି ହେବ, ସେଠି ଏଲ୍ଇଡି ବ୍ୟବସ୍ଥା କରାଯିବ। ସମୁଦ୍ରରେ ଜାହାଜ ସବୁ ଥିବାରୁ କେହି ପାଣିକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗଦେବା ସହ ଗଜପତି ମହାରାଜାଙ୍କୁ ଆସିବା ପାଇଁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।