ନୂଆଦିଲ୍ଲୀ: ଦେଶର ସଂସଦ ଭବନ ରାଜ୍ୟସଭା ଏବଂ ଲୋକସଭାକୁ ଦେଖିଲେ ଦୁଇଟି ପ୍ରତୀକାତ୍ମକ ଭିନ୍ନତା ପ୍ରଥମେ ନଜରକୁ ଆସେ । ଆପଣଙ୍କ ନଜରରେ ପଡ଼ିଥିବ। ଗୋଟିଏ ହେଲା ରାଜ୍ୟସଭା ଗାଢ଼ ଲାଲ ରଙ୍ଗରେ ସଜ୍ଜିତ ଥିବାବେଳେ ଲୋକସଭା ଜୀବନ୍ତ ସବୁଜ ରଙ୍ଗରେ ରଙ୍ଗୀନ ହୋଇଥାଏ। ଏହା କେବଳ ଡିଜାଇନର ସୌନ୍ଦର୍ଯ୍ୟ କିମ୍ବା ସଂଯୋଗ ନୁହେଁ ବରଂ ଏହି ରଙ୍ଗ ପଛରେ ଲୁଚି ରହିଛି ଶତାବ୍ଦୀ ପ୍ରାଚୀନ ସଂସଦୀୟ ପରମ୍ପରାର ଗଭୀର ଐତିହାସିକ ଓ ପ୍ରତୀକାତ୍ମକ ମହତ୍ତ୍ୱ।
ରାଜ୍ୟସଭାରେ ଲାଲ: ଲାଲ ରଙ୍ଗ ଇତିହାସରେ ଶକ୍ତି, ସମ୍ମାନ ଓ ପରମ୍ପରାର ପ୍ରତୀକ। ଏହା ରାଜତନ୍ତ୍ର ସହ ଜଡ଼ିତ । ଏକ ଉତ୍ସବମୟ ଗାମ୍ଭୀର୍ଯ୍ୟ ଓ ଶାଳୀନତାର ରଙ୍ଗ। ସଂସଦୀୟ ପରିପ୍ରେକ୍ଷୀରେ ଏହା ଚିନ୍ତାଶୀଳତା, ସଂଯମ ଓ ଗାମ୍ଭୀରତାକୁ ସୂଚାଇଥାଏ । ଯାହା ଉଚ୍ଚ ସଦନ ରାଜ୍ୟସଭାରୁ ଆଶା କରାଯାଏ। ଅଭିଜ୍ଞ ରାଜନୀତିଜ୍ଞ, ବିଶେଷଜ୍ଞ ଓ ରାଜ୍ୟ ପ୍ରତିନିଧିଙ୍କୁ ନେଇ ଗଠିତ ରାଜ୍ୟସଭା ଲୋକସଭାରୁ ପାରିତ ବିଧେୟକଗୁଡ଼ିକର ସମୀକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ।
ଲୋକସଭାରେ ସବୁଜ: ସବୁଜ ରଙ୍ଗ ବୃଦ୍ଧି, ଜୀବନଶକ୍ତି ଓ ଜମି ତଥା ଜନସାଧାରଣ ସହ ସମ୍ପର୍କକୁ ସୂଚାଏ। ଏହା ତୃଳମୂଳରୁ ଉଠିଆସିଥିବା ଜନଗଣର ଗଣତାନ୍ତ୍ରିକ ଶକ୍ତିର ପ୍ରତୀକ। ସିଧାସଳଖ ନିର୍ବାଚିତ ସଦନ ହିସାବରେ ଲୋକସଭା ଭାରତୀୟ ନାଗରିକଙ୍କ ସ୍ୱରକୁ ପ୍ରତିଧ୍ୱନିତ କରେ, ଆଲୋଚନା କରେ ଓ ତାକୁ ଆଇନରେ ପରିଣତ କରେ। ସବୁଜ ପରିବେଶ ସତେଜତା, ଉଦ୍ୟମ ଓ ଜନପ୍ରତିନିଧିତ୍ୱକୁ ପ୍ରତିଫଳିତ କରେ।
ରଙ୍ଗର ମନୋବୈଜ୍ଞାନିକ ପ୍ରଭାବ: ରାଜନୈତିକ ବିଶ୍ଳେଷକ ଓ ଗବେଷକମାନେ କୁହନ୍ତି ଯେ ରଙ୍ଗ ମନୋବିଜ୍ଞାନ ସଦନରେ ଆଲୋଚନାର ସ୍ୱର ଓ ବ୍ୟବହାରକୁ ପ୍ରଭାବିତ କରେ। ଲାଲ ସତର୍କତା, ଗମ୍ଭୀରତା ଓ ଶାଳୀନତାକୁ ପ୍ରୋତ୍ସାହିତ କରେ, ଯାହା ସମୀକ୍ଷା ଓ ସାମ୍ବିଧାନିକ ଦିଗକୁ ଅନୁଶୀଳନ କରିଥାଏ। ସବୁଜ ଏକ ମୁକ୍ତ ଓ ଉତ୍ସାହଜନକ ପରିବେଶ ସୃଷ୍ଟି କରେ, ଯାହା ଉତ୍ତେଜନାପୂର୍ଣ୍ଣ ବିତର୍କ ଓ ନିର୍ବାଚନୀ ରାଜନୀତି ପାଇଁ ଆଦର୍ଶ।
ନୂଆ ସଂସଦ ଭବନ: ୨୦୨୩ ମଇରେ ଉଦ୍ଘାଟିତ ନୂଆ ସଂସଦ ଭବନ ପୁରୁଣା ପରମ୍ପରାକୁ ଆଧୁନିକ ରୂପରେ ଧରି ରଖିଛି। ଲୋକସଭା ସବୁଜ ଓ ରାଜ୍ୟସଭା ଲାଲ ରଙ୍ଗରେ ସଜ୍ଜିତ। ଏହା ସହ ସାଂସ୍କୃତିକ ଉପାଦାନ ଯୋଡ଼ା ଯାଇଛି । ଲୋକସଭାରେ ମୟୂର ପ୍ରେରିତ ନକ୍ସା, ରାଜ୍ୟସଭାରେ ପଦ୍ମ ଥିମ୍ ଓ କେନ୍ଦ୍ରୀୟ ଲାଉଞ୍ଜରେ ବରଗଛର ପ୍ରତୀକାତ୍ମକତା ଦେଖିବାକୁ ମିଳେ।
ରଙ୍ଗରୁ ଅଧିକ: ଗଣତନ୍ତ୍ରରେ ସଂଖ୍ୟା, ପ୍ରସ୍ତାବ ଓ ବିଧେୟକ ମଧ୍ୟରେ ଏହି ପ୍ରତୀକାତ୍ମକ ଭିନ୍ନତା ସଂସ୍ଥାଗତ ଗାମ୍ଭୀର୍ଯ୍ୟର ସ୍ମାରକ। ଲାଲ ଓ ସବୁଜ ସଦନ ପରମ୍ପରା ଓ ପ୍ରତିନିଧିତ୍ୱ, ଚିନ୍ତନ ଓ ଗତିଶୀଳତା ମଧ୍ୟରେ ସନ୍ତୁଳନର ନିଶାଣୀ। ସଂସଦୀୟ ଅଧିବେଶନ ଦେଖିଲାବେଳେ କିମ୍ବା ସଂସଦ ଭବନ ପରିଦର୍ଶନ କରିଲାବାବେଳେ ଏହି ରଙ୍ଗଗୁଡ଼ିକୁ ଏକ ନଜର ଦିଅନ୍ତୁ, ଏହା କେବଳ କାର୍ପେଟ୍ ନୁହେଁ, ଭାରତୀୟ ଗଣତନ୍ତ୍ରର ଗାଥାକୁ ବଖାଣିଥାଏ ।