ଭୁବନେଶ୍ବର: ସଂସଦରେ ବିରୋଧୀ ଆଦାନୀ ପ୍ରସଙ୍ଗ ନେଇ ବାରମ୍ବାର ସରକାରଙ୍କୁ ଘେରିଥିବାର ନଜିର ରହିଛି । ବିରୋଧୀ କଂଗ୍ରେସ ସାଙ୍ଗକୁ ଅନ୍ୟାନ୍ୟ ଇଣ୍ଡି ଦଳ, ଆଦାନୀ ଠକେଇ ନେଇ ସରକାରଙ୍କୁ ଦାୟୀ କରି ଗୃହରେ ହଙ୍ଗାମା କରିଛନ୍ତି । ହେଲେ ଏବେ ସଂସଦ ନୁହେଁ ରାଜ୍ୟ ବିଧାନସଭାରେ ବି ଆଦାନୀ ଝଡ ଦେଖିବାକୁ ମିଳିଛି । ଆଦାନୀର କାର୍ଯ୍ୟ କରିବାର ପ୍ରକ୍ରିୟାକୁ ନେଇ ଆଜି ଗୃହରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।
ଏନେଇ ପ୍ରସନ୍ନ କହିଛନ୍ତି, ସିମେଣ୍ଟ କାରଖାନା ବନ୍ଦ କରି ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍ସାଇଟ ଆଣି ସିମେଣ୍ଟ କାରଖାନାରେ କ୍ଲିଙ୍କର ପ୍ରତିଷ୍ଠା କରିବାକୁ ଚାହୁଁଛି ଆଦାନୀ କମ୍ପାନୀ । ବରଗଡରେ ଥିବା ସରକାରୀ ସିମେଣ୍ଟ କମ୍ପାନୀକୁ ୨୦୦୩ ମସିହାରେ ସରକାର ଘରୋଇକରଣ କରି ଏସିସି ସିମେଣ୍ଟକୁ ଦିଆଯାଇଥିଲା । ହେଲେ ବର୍ତ୍ତମାନ ଏସିସି କମ୍ପାନୀର ଅଧିକାଂଶ ସେୟାର ଆଦାନୀ କମ୍ପାନୀ କିଣି ନେଇଥିବାରୁ ବର୍ତ୍ତମାନ ଏସିସିର ମାଲିକ ହେଉଛି ଆଦାନୀ କମ୍ପାନୀ । ଆଉ ଆଦାନୀ ହାତକୁ ଏସିସି ଯିବା ପରେ କମ୍ପାନୀ ମନମାନୀ ଚଳାଇଛି । କିଛି କର୍ମଚାରୀଙ୍କୁ ଜୋର ଜବରଦସ୍ତ ଅବସର ନେବାକୁ ବାଧ୍ୟ କରାଯାଉଥିବା ବେଳେ କିଛି କର୍ମଚାରୀଙ୍କୁ ବାହାରକୁ ପଠାଇଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ପ୍ରସନ୍ନ ।
ଏଥିସହିତ ସିମେଣ୍ଟ କାରଖାନା ବନ୍ଦ କରି ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍ସାଇଟ୍ ଆଣି ସିମେଣ୍ଟ କାରଖାନା ଭିତରେ କ୍ଲିଙ୍କର ପ୍ରତିଷ୍ଠା କରିବାକୁ ଆଦାନୀ କମ୍ପାନୀ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ସରକାର ଗୋଟିଏ କମ୍ପାନୀକୁ ସିମେଣ୍ଟ କାରଖାନା ଦେଇଥିଲେ, ହେଲେ କମ୍ପାନୀ ଅନ୍ୟ ଜଣଙ୍କୁ କିଭଳି ବିକ୍ରି କଲା ବୋଲି ସେ ପ୍ରଶ୍ନ କରିବା ସହ ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ।