ନୂଆଦିଲ୍ଲୀ: ତାମିଲନାଡୁର ସରକାରଙ୍କୁ ଲାଗିଛି ବଡ଼ ଝଟ୍କା। ଡାକ୍ତରୀ ପାଠ୍ୟକ୍ରମ ପାଇଁ ହେଉଥିବା ଜାତୀୟ ପ୍ରବେଶିକା ଏବଂ ଯୋଗ୍ୟତା ପରୀକ୍ଷା(NEET ) ବିରୋଧରେ ରାଜ୍ୟ ସରକାର ଆଣିଥିବା ବିଲ୍କୁ ଖାରଜ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୀଟ୍ ପରିସରରୁ ତାମିଲନାଡୁକୁ ବାଦ୍ ଦେବା ଲାଗି ତାମିଲନାଡୁ ସରକାର ଏହି ବିଲ୍ ଆଣିଥିଲେ।
ନୀଟ୍ ପରିସରରୁ ତାମିଲନାଡୁକୁ ବାଦ୍ ଦିଆଯାଉ ଅର୍ଥାତ୍ ନୀଟ୍ ଆଧାରରେ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପଢ଼ିବା ଅନୁମତି ଦେବା ପରିବର୍ତ୍ତେ ଦ୍ଵାଦଶ ପରୀକ୍ଷାର ନମ୍ବର ଆଧାରରେ ସୁଯୋଗ ଦେବା ଲାଗି ସରକାର ଏହି ବିଲ୍ ଆଣିଥିଲେ ତାମିଲନାଡୁର ସରକାର ।
୨୦୨୧ ଏବଂ ୨୦୨୨ରେ ତାମିଲନାଡୁ ବିଧାନସଭାରେ ଦୁଇ ଦୁଇ ଥର ଏହା ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ପଡ଼ିରହିଥିଲା। ତେବେ ଆଜି( ଶୁକ୍ରବାର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଲ୍କୁ ଖାରଜ କରିଛନ୍ତି । ଏହି ସୂଚନା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ବିଧାନସଭାରେ ଦେଇଛନ୍ତି।
ଏପ୍ରିଲ ୯ରେ ଏହି ପ୍ରସଙ୍ଗରେ ସିଏମ ଏକ ସର୍ବ-ରାଜନୈତିକ ଦଳ ବୈଠକ ଡାକିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର NEET ବିରୋଧରେ ଲଢେଇ ଜାରି ରଖିବେ।
ତାମିଲନାଡୁ ସରକାର ନୀଟ୍ ଉଚ୍ଛେଦ ପାଇଁ ବଦ୍ଧପରିକର ଥିଲେ। ଏ ନେଇ ପାରିତ ହୋଇଥିବା ବିଲ୍କୁ ଖାରଜ କରିଦିଆଯିବା ସଂଘୀୟ ବ୍ୟବସ୍ଥାର ଏକ କଳା ଅଧ୍ୟାୟ। କେନ୍ଦ୍ରର ଏହି ନିଷ୍ପତ୍ତି ଉଭୟ ତାମିଲନାଡୁବାସୀ ଏବଂ ବିଧାନସଭାର ନିଷ୍ପତ୍ତିକୁ ଅସମ୍ମାନ ବୋଲି ସେ କହିଛନ୍ତି।