୧୦ ସେକେଣ୍ଡରେ ଉଡିଗଲା ୨୦ ଲକ୍ଷ କୋଟି ଟଙ୍କା, ବଜାର ଟଳମଳ

ନୂଆଦିଲ୍ଲୀ: ସେଲ୍ ସେଲ୍ ସେଲ୍, ଆଉ ଫ୍ରି ଫଲ୍। ଭାରତୀୟ ସେୟାର ବଜାରରେ ଆଜି ଥିଲା ଏଭଳି ସ୍ଥିତି। ବଜାର ଆରମ୍ଭ ହେବା ପୂର୍ବରୁ ହିଁ ରକେଟ ବେଗରେ ଖସୁଥିଲା ବଜାର। ଆଉ ସେୟାର ମାର୍କେଟ ସକାଳ ୯ଟା ୧୫ ମିନିଟରେ ଆରମ୍ଭ ମାତ୍ରେ ସ୍ଥିତି ଅସମ୍ବାଳ। ସବୁ ଆଶଂକା ସତ ହେଲା। ବଜାର ଆରମ୍ଭ ହେଉ ହେଉ ମାନେ ୧୦ ସେକଣ୍ଡରେ ନିବେଶକଙ୍କ ୨୦ ଲକ୍ଷ କୋଟି ଟଙ୍କା ଉଡିଗଲା। କାରବାର ଆରମ୍ଭରୁ ପ୍ରାୟ ୪ ହଜାର ପଏଣ୍ଟ ଖସିଥିଲା ବମ୍ବେ ଷ୍ଟକ ଏକ୍ସଚେଞ୍ଜ। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ ୧୧୦୦ ପଏଣ୍ଟ ହ୍ରାସ ପାଇଥିଲା। ଯାହାକି ଥିଲା ଗତ ଦଶ ମାସରେ ଭାରତୀୟ ବଜାରରେ ସର୍ବାଧିକ କ୍ରାସ୍‌। ଦିନ ତମାମ କାରବାର ଏତେ ଅଥୟ ଥିଲା ଯେ ନିବେଶକ ମୁଣ୍ଡରେ ହାତ ଧରି ବସିବା ଛଡା ଅନ୍ୟ ଉପାୟ ନଥିଲା। ଅବଶ୍ୟ ବଜାର ବନ୍ଦ ହେଲା ବେଳକୁ ସ୍ଥିତି ଟିକେ ସୁଧାରି ଥିଲା। ବିଏସଇ ୨୨୨୭ ପଏଣ୍ଟ ଏବଂ ଓ ନିଫଟି ୭୪୨ ପଏଣ୍ଟ ଖସି ବନ୍ଦ ହୋଇଛି ।

ବିଶ୍ବ ବଜାରକୁ ଭାଲୁ ଧରାଇଲେ ଆମେରିକା ରାଷ୍ଟ୍ରପତି। ଟାରିଫ୍‌ ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଏସିଆ ବଜାର। ଚୀନ୍‌, ଜାପାନ, ତାଇୱାନ ଏବଂ ହଂକଂର ସେୟାର ବଜାର ଲାଲ୍ ଆଉ ଲାଲ୍ । ହେଲେ ବଜାର ଟଳମଳ ବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କିନ୍ତୁ ନିଜ ଜିଦରେ ଅଟଳ। କହିଛନ୍ତି ରୋଗ ଭଲ କରିବାକୁ ହେଲେ ବେଳେବେଳେ ଔଷଧ ଖାଇବାକୁ ପଡ଼େ’ ‘ଆମେରିକାର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଆମେ ବି ସେହି ନିଷ୍ପତ୍ତି ନେଇଛୁ’ ।

ଅବୁଝା ହେଉଛନ୍ତି ଟ୍ରମ୍ପ ହେଲେ ଏବେ ନିବେଶକ କରିବେ କଣ? ଦୀର୍ଘ ୬ ମାସ ହେଲା ବଜାର ଅସ୍ଥିର ଥିବା ବେଳେ ଘରୋଇ ନିବେଶକ ମୁହଁ ଫେରାଇ ନେବେ। ବିଦେଶୀ ନିବେଶକ ବି ଭାରତୀୟ ବଜାରରୁ ଅଧିକ ଅର୍ଥ ଉଠାଇ ନେବେ। ତେଣୁ ନିବେଶକଙ୍କୁ ଧୈର୍ଯ୍ୟ ଧରିବା ତଥା ସମୟକୁ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।ସେପଟେ ଟ୍ରମ୍ପ ଟାରିଫ ଯୋଗୁଁ ଭାରତରୁ ରପ୍ତାନୀ କମିବା ଫଳରେ କଂପାନିର ଆୟ କମିବ, ଯାହାକି ବଜାରକୁ ପ୍ରଭାବିତ କରିବ। କଂପାନୀର ଆୟ.କମିଲେ ନିଯୁକ୍ତି କମିବ ଏବଂ ଛଟେଇ ଆଶାଂକା ବଢିବ। ଆଉ ଦୀର୍ଘ ଦିନ ଏଭଳି ସ୍ଥିତି ଜାରି ରହିଲେ ବିଶ୍ବକୁ ଗ୍ରାସୀ ପାରେ ମାନ୍ଦାବସ୍ଥା।

Leave A Reply

Your email address will not be published.