ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ନର୍ଥ ବ୍ଲକ୍ରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଯାଇ ମୋହନ ମାଝୀ ଶାହାଙ୍କୁ ଭେଟିଛନ୍ତି। ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀ ଏହି ସାକ୍ଷାତ କରିଛନ୍ତି। ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖାଲିଥିବା ପଦବୀ ଖୁବ୍ ଶୀଘ୍ର ପୂରଣ ହେବ। ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ଥିବା ୧୨ ହଜାରରୁ ଊର୍ଦ୍ଧ୍ବ ପଦବୀ ପୂରା ହେବ। ଗୃହ ବିଭାଗର ଅନେକ ପଦବା ଖାଲି ରହିଛି ।ଏଥିରେ ଓଆଇଏସ୍ଏଫ୍, ଟ୍ରାଫିକ କନଷ୍ଟେବଳ, ହୋମ୍ଗାର୍ଡ ଆଦି ସାମିଲ ରହିଛି। ଟ୍ରାଫିକ ସମାଧାନ ପାଇଁ ୨ ହଜାର ଟ୍ରାଫିକ୍ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ହୋମ୍ ଗାର୍ଡରେ ୫ ହଜାର ଜଣଙ୍କୁ ନିଯୁକ୍ତି ଦିଆଯିବ ।
ଲୋକଙ୍କୁ କମ୍ ସମୟରେ କିଭଳି ନ୍ୟାୟ ମିଳିବ ତା ଉପରେ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଦେଶର ବହୁ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ମଙ୍ଗଳବାର ରାଜ୍ୟରେ ପୁଞ୍ଜିନିବେଶ ନେଇ ୧୩ କମ୍ପାନୀ ସହ ମୁଖ୍ୟମନ୍ତ୍ରୀ ଚୁକ୍ତି ସ୍ବାକ୍ଷର କରିଛନ୍ତି। ବିଭିନ୍ନ କମ୍ପାନୀ ସହ ହୋଇଥିବା ଏହି ଚୁକ୍ତି ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜି ଆକର୍ଷିତ କରିଥିବାବେଳେ ୯୫,୯୧୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।