ରାୟଗଡ଼ା : ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ହୁଇପ୍ ଅବମାନନା ଅଭିଯୋଗରେ ଦୁଇ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦଳରୁ ବହିଷ୍କାର କରିଛି ବିଜେପି। ପଦ୍ମପୁର ଜୋନ୍ ‘ଏ’ ଜିଲ୍ଲା ପରିଷଦ ନେତ୍ରାନନ୍ଦ କୈବର୍ତ୍ତ ଏବଂ ରାମନାଗୁଡା ‘ଏ’ ଜୋନ୍ ଜିଲ୍ଲା ପରିଷଦ ପୁଷ୍ପାଞ୍ଜଳି ମୁଟିକାକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଦଳରୁ ବହିଷ୍କାର କରିଛନ୍ତି। ବହିଷ୍କାର ପରେ ଉଭୟଙ୍କ ପାଖକୁ ସୂଚନା ଦିଆଯାଇଥିବା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି।
କୋର୍ଟରେ ଚାଲିଥିବା ମାମଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ପଦ ହରାଇବା ପରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଏହା ପରେ ଫେବ୍ରୁଆରୀ ୧୯ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପ ନିର୍ବାଚନ ହୋଇଥିଲା। ନିର୍ବାଚନରେ ଭୋଟଦାନରୁ ବିରତ ରହିବା ପାଇଁ ବିଜେପି ଫେବ୍ରୁଆରୀ ୧୮ ତାରିଖରେ ହୁଇପ୍ ଜାରି କରିଥିଲା। ଦଳୀୟ ହୁଇପକୁ ଅବମାନନା କରି ପୁଷ୍ପାଞ୍ଜଳି ମୁଟିକା, ନେତ୍ରାନନ୍ଦ କୈବର୍ତ୍ତ ନିର୍ବାଚନରେ ଅଂଶଗ୍ରହଣ କରିବା ସହ ବିଜେଡ଼ି ପ୍ରାର୍ଥୀକୁ ସମର୍ଥନ କରି ଭୋଟଦାନ କରିଥିଲେ। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଫେବ୍ରୁଆରୀ ୨୨ ତାରିଖରେ ଦୁଇ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। କିନ୍ତୁ ଉଭୟ ଜିଲ୍ଲା ପରିଷଦ ନୋଟିସର କୌଣସି ଉତ୍ତର ରଖିନଥିଲେ। ଗତକାଲି ଏହି ଘଟଣାରେ ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଦୁଇ ସଦସ୍ୟଙ୍କୁ ବହିଷ୍କୃତ କରିଛନ୍ତି।
Comments are closed, but trackbacks and pingbacks are open.