ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ୍ ସୁପରଷ୍ଟାର ଅଜିତ କୁମାର

ଚେନ୍ନାଇ: ସାଉଥ୍ ସୁପର ଷ୍ଟାର ଅଜିତ କୁମାର ଚେନ୍ନାଇ ବିମାନବନ୍ଦରରୁ ବାହାରିବା ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଯାହା ଫଳରେ ତାଙ୍କୁ ତୁରନ୍ତ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସୁସ୍ଥ ଥିବା ନେଇ ଡକ୍ଟର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ତାଙ୍କୁ କିଛି ଫିଜିଓଥେରାପିର ପରାମର୍ଶ ଦିଆଯାଇଛି। ଆଜି ରାତି କିମ୍ବା କାଲି ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ।

ଗତ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପଦ୍ମଭୂଷଣ ଗ୍ରହଣ କରିବା ପରେ ସେ ସପରିବାର ନୂଆଦିଲ୍ଲୀରୁ ଚେନ୍ନାଇ ଫେରିଥିଲେ। ଚେନ୍ନାଇରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟସ୍ୱାଗତ କରାଯାଇଥିଲା। ଯେଉଁଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ। ତେବେ ସେଠାରେ ଅଜିତଙ୍କ ପ୍ରଶଂସକମାନେ ତାଙ୍କୁ ବିମାନବନ୍ଦରରେ ଘେରି ରହିଥିଲେ ଓ ପ୍ରବଳ ଭିଡ଼ ଜମି ରହିଥିବାରୁ ତାଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଯାଇଥିଲା।

ଗତ ଏପ୍ରିଲ ୨୭ ତାରିଖ ସନ୍ଧ୍ୟାରେ ଅଜିତ କୁମାର ତାଙ୍କ ସ୍ତ୍ରୀ, ପୁଅ ଏବଂ ଝିଅଙ୍କ ସହିତ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିବା ପାଇଁ ଦିଲ୍ଲୀ ଯାଇଥିଲେ। ଗଣମାଧ୍ୟମ ସହିତ ଆଲୋଚନା ବେଳେ ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରି ସେ ବହୁତ୍ ଖୁସି ଅଛନ୍ତି ଓ ଏହି ପୁରସ୍କାର ମିଳିବା ବହୁତ୍ ବଡ଼ ସମ୍ମାନ ଓ ଗର୍ବର କଥା।

ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଟ ୭୧ ଜଣ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ଯେଉଁମାନଙ୍କ ମଧ୍ୟରୁ ଚାରି ଜଣ ପଦ୍ମ ବିଭୂଷଣ, ୧୦ ଜଣ ପଦ୍ମ ଭୂଷଣ ଏବଂ ୫୭ ଜଣ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Leave A Reply

Your email address will not be published.