ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି। ଏହି ଆତଙ୍କବାଦୀ ହମଲାକୁ ନେଇ ଏବେ ପାକିସ୍ତାନ ସେନାର ଜଣେ ପୂର୍ବତନ ମେଜର ଏକ ବଡ଼ ଖୁଲାସା କରିଛନ୍ତି। ପାକିସ୍ତାନ ସେନାର ପୂର୍ବତନ ମେଜର ଆଦିଲ ରାଜା ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜକୁ କହିଛନ୍ତି ଯେ, ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ-କଶ୍ମୀରର ପହଲଗାମର ବୈସରନ ଘାଟିରେ ହୋଇଥିବା ଆତଙ୍କବାଦୀ ହମଲା ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ନିର୍ଦ୍ଦେଶରେ ହୋଇଥିଲା। ଏହି ହମଲାର ମୁଖ୍ୟ ମାଷ୍ଟରମାଇଣ୍ଡ ମଧ୍ୟ ସ୍ୱୟଂ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀର ଥିଲେ।
ଏବିପି ନ୍ୟୁଜ ସହ ଏକ ସୁପର ଏକ୍ସକ୍ଲୁସିଭ ସାକ୍ଷାତକାରରେ ପୂର୍ବତନ ପାକିସ୍ତାନୀ ମେଜର ଆଦିଲ ରାଜା ଦାବି କରିଛନ୍ତି ଯେ, ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ସମ୍ପର୍କିତ ସୂଚନା ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର ଚୀନ ଓ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନବାଜ ଶରୀଫଙ୍କୁ ମଧ୍ୟ ଦେଇଥିଲେ। ଏହି ସାକ୍ଷାତକାରରେ ଆଦିଲ ରାଜା ପହଲଗାମରେ ଆତଙ୍କବାଦୀ ହମଲା ପଛରେ ଥିବା କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ହମଲା କରିଥିଲେ କାରଣ ସେ ପରବର୍ତ୍ତୀ ଜିୟା-ଉଲ-ହକ ହେବାକୁ ଚାହୁଁଛନ୍ତି। ଏହି ହମଲା ସେ ନିଜର ପ୍ରତିଷ୍ଠା ବୃଦ୍ଧି କରିବା ପାଇଁ କରାଇଥିଲେ। ଏହା ସହ, ଆଦିଲ ରାଜା ଆହୁରି କହିଛନ୍ତି ଯେ, ସେନା ମୁଖ୍ୟ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ପୁନର୍ଜନ୍ମ ଦେଉଛନ୍ତି, ଯାହା ଦ୍ୱାରା ଭାରତ ଉପରେ ବଡ଼ ବଡ଼ ହମଲା କରାଯାଇପାରିବ।
ଯେତେବେଳେ ପାକିସ୍ତାନ ସେନାର ପୂର୍ବତନ ମେଜର ଆଦିଲ ରାଜାଙ୍କୁ ପଚରାଯାଇଥିଲା ଯେ, ତାଙ୍କର ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ସହ କୌଣସି ସମ୍ପର୍କ ଅଛି କି ? ସେ ଉତ୍ତରରେ କହିଥିଲେ ଯେ, ଯେତେବେଳେ ସେ କେପିକେ ବିଷୟରେ କିଛି କହନ୍ତି, ତାଙ୍କୁ ପାକିସ୍ତାନ ସେନାର ଏଜେଣ୍ଟ କୁହାଯାଏ ଏବଂ ଯେତେବେଳେ ସେ ପାକିସ୍ତାନ ସେନା ବିରୋଧରେ କହନ୍ତି, ତାଙ୍କ ନାମ ପିଟିଆଇ ସହ ଯୋଡ଼ାଯାଏ। କିନ୍ତୁ ବାସ୍ତବରେ ସେ କେବଳ ପ୍ରମାଣସହ ସତ୍ୟ କହିଥାନ୍ତି।