‘ଅପରେସନ୍ ସିନ୍ଦୂର’କୁ ନେଇ ଫିଲ୍ମ, ବର୍ଷିଲେ ୟୁଜର୍ସ

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୨୬ ନିର୍ଦ୍ଦୋଷ ପର୍ଯ୍ୟଟକ ନିଜର ପ୍ରାଣ ହରାଇଥିଲେ। ଯାହାର ପ୍ରତିଶୋଧ ନେବାକୁ ଯାଇ ଭାରତ ସରକାର ସୈନ୍ୟ ବାହିନୀ ବଳରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲେ। ଯେଉଁଥିରେ ପାକିସ୍ତାନ ଏବଂ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା ବେଳେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମିବାର ନାମ ନେଉ ନାହିଁ।

ଏହାରି ମଧ୍ୟରେ ନିକି ଭିକି ଭଗନାନୀ ଫିଲ୍ମସ୍ ଏବଂ ଦି କଣ୍ଟେଣ୍ଟ ଇଞ୍ଜିନିୟର ନିକଟରେ ନିଜର ନୂଆ ଚଳଚ୍ଚିତ୍ରର ନାମ ଘୋଷଣା କରିଛନ୍ତି। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି କାରଣ ଫିଲ୍ମର ନାମ ‘ଅପରେସନ୍ ସିନ୍ଦୂର’ ରଖାଯାଇଛି। ଏପଟେ ଯୁଦ୍ଧ ଜାରି ରହିଥିବା ବେଳେ ‘ଅପରେସନ୍ ସିନ୍ଦୂର’ କୁ ଫିଲ୍ମ ବନାଉଥିବା ମେକର୍ସ୍ ଙ୍କ ଉପରେ ବର୍ଷିଛନ୍ତି ନେଟିଜେନ୍ସ। ପ୍ରବଳ ସମାଲୋଚନା ପରେ କ୍ଷମା ମାଗିଛନ୍ତି ନିର୍ମାତା।

ଏହି ଫିଲ୍ମଟି ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ନେଇଥିବା ପ୍ରତିଶୋଧ ଉପରେ ଆଧାରିତ ବୋଲି କୁହାଯାଉଛି। କିପରି ଭାରତୀୟ ସେନା ମେ ୬-୭ ରାତିରେ ଅପରେସନ ସିନ୍ଦୂରକୁ ସଫଳତାର ସହ କାର୍ଯ୍ୟକାରୀ କରାଇଥିଲେ ତାହା ଫିଲ୍ମରେ ଦୃଶ୍ୟମାନ ହେବ।

ତେବେ ଫିଲ୍ମର ପୋଷ୍ଟରଟି ଅତ୍ୟନ୍ତ ପ୍ରଭାବଶାଳୀ ଦୃଶ୍ୟମାନ ହେଉଛି। କାରଣ ପୋଷ୍ଟରରେ ଜଣେ ମହିଳା ସେନା ପୋଷାକ ପିନ୍ଧି ହାତରେ ବନ୍ଧୁକ ଧରି ସିନ୍ଦୁର ଲଗାଉଥିବାର ନଜର ଆସିଛନ୍ତି। ଯାହାକି ଦେଶପ୍ରେମ ଏବଂ ନାରୀ ଶକ୍ତିକୁ ଦର୍ଶାଉଛି। ପୋଷ୍ଟରରେ ‘ଅପରେସନ୍ ସିନ୍ଦୂର’ ଲେଖାଯିବା ସହ ସିନ୍ଦୁରର ଚିତ୍ର ଦର୍ଶାଯାଇଛି। ଆଉ ତଳେ ‘ଭାରତ ମାତା କି ଜୟ’ ଲେଖା ରହିଛି। ଏଥିରେ ଟ୍ୟାଙ୍କ, ଏକ ଯୁଦ୍ଧଭୂମି, କଣ୍ଟା ତାର ଏବଂ ଆକାଶରେ ଯୁଦ୍ଧ ବିମାନ ଉଡ଼ୁଥିବାର ଚିତ୍ର ମଧ୍ୟ ଦୃଶ୍ୟମାନ ହୋଇଛି।

ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଉତ୍ତମ ମାହେଶ୍ୱରୀ କରିବେ ବୋଲି ଜଣାପଡିଛି। ଯଦିଓ ଫିଲ୍ମର ଷ୍ଟାରକଷ୍ଟଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ ।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣରେ ଆତଙ୍କବାଦୀମାନେ ଧର୍ମ ପଚାରି ପର୍ଯ୍ୟଟକ ମାନଙ୍କୁ ଟାର୍ଗେଟ କରି ହତ୍ୟା କରିଥିଲେ। ଏପରିକି ନବ ବିବାହିତ ମାନଙ୍କୁ ମଧ୍ୟ ଛାଡ଼ିନଥିଲେ।

Leave A Reply

Your email address will not be published.