ଭୁବନେଶ୍ୱର: ଅପରେସନ ସିନ୍ଦୁରର ସଫଳତା ପାଳନ ଅବସରରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ସିନ୍ଦୂର ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଅପରେସନ ସିନ୍ଦୂର କେବଳ ଏକ ନାମ ନୁହେଁ, ଭାରତୀୟ ସେନାର ସାହସ ଓ ନାରୀ ସମ୍ମାନର ଏହା ଏକ ଅଭିନବ ସମାହାର । ଆମର ବୀର ଯବାନମାନଙ୍କୁ ଏହି ପଦଯାତ୍ରା ଦ୍ଵାରା ଆମେ ସ୍ମରଣ କରୁଛୁ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଉଦ୍ଧିଷ୍ଟ ମିଶନ ଶକ୍ତି ବିଭାଗ ଦ୍ୱାରା ମୁଖ୍ୟତଃ ମହିଳା ମାନଙ୍କୁ ନେଇ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ ରୋଡ଼ ଠାରୁ ଆରମ୍ଭ ହୋଇ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।
ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଇଥିବା ବେଳେ, ଭାରତୀୟ ନୌସେନାର ସର୍ଜେଣ୍ଟ୍ ଲେଫ୍ଟେନାଣ୍ଟ୍ କମାଣ୍ଡର, ଅନନ୍ୟା ଦଳବେହେରା, ଓ ପହଲଗାମ ଠାରେ ସହିଦ୍ ହୋଇଥିବା ପ୍ରଶାନ୍ତ ଶତପଥୀଙ୍କ ଧର୍ମପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଉପସ୍ଥିତ ରହି ଏହି ଅପରେସନ ସିନ୍ଦୁର ସଫଳତାର ପଦଯାତ୍ରାରେ ଭାଗ ନେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେଯେ, ଭାରତୀୟ ନାରୀଟିଏ ମଥାରେ ସିନ୍ଦୁର ପିନ୍ଧିଲା ସମୟରେ ଏହା ସଂକଳ୍ପ ନେଇଥାଏ ଯେ ସେ ନିଜ ସ୍ୱାମୀ ଓ ପରିବାର ପାଇଁ ସମସ୍ତ ବାଧାବିଘ୍ନକୁ ସହି ଏକ ସୁଦୃଢ଼ କବଚ ଭାବେ ସୁରକ୍ଷା ଦେବ । ସିନ୍ଦୁରର ରଙ୍ଗ ନାଲି । ଏହି ନାଲି ରଙ୍ଗ ବିଜୟର ପ୍ରତୀକ ଏବଂ ବିପଦର ମଧ୍ୟ ପ୍ରତୀକ । ପ୍ରଧାନମନ୍ତ୍ରୀ ମୋଦିଜୀ ଏହି ସିନ୍ଦୁରର ନାଲି ରଙ୍ଗକୁ ଶତୃମାନଙ୍କ ପାଇଁ ବିପଦ ଏବଂ ଭାରତବାସୀଙ୍କ ପାଇଁ ବିଜୟର ସଂକେତ ଦେଇ, ଏହି ମିଶନର ନାଁ ଅପରେସନ୍ ସିନ୍ଦୁର ରଖିଛନ୍ତି ।
ଯେପରି ସିନ୍ଦୂର ପ୍ରତ୍ୟେକ ଭାରତୀୟ ନାରୀଙ୍କର ଗର୍ବ ଓ ଗୌରବ ସେପରି ଆମ ଭାରତୀୟ ଯବାନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ । ଆମ ଯବାନମାନଙ୍କର ଅଭୁତପୂର୍ବ ପରାକ୍ରମ ଓ ଶୌର୍ଯ୍ୟ ପାଇଁ ମୁଁ ସେମାନଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଜଣାଉଛି। ଆଜିର ଏହି ଯାତ୍ରା କେବଳ ଏକ ପଦଯାତ୍ରା ନୁହେଁ, ଏହା ହେଉଛି ମାତୃଭୂମି ପ୍ରତି ଆମର ସମର୍ପଣ, ସାହସ ଓ ଶକ୍ତିର ନିଦର୍ଶନ ବୋଲି ସେ କହିଥିଲେ ।
ସେ ପୁଣି କହିଥିଲେଯେ, ଆପଣମାନେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହଙ୍କୁ ଟେଲିଭିଜନରେ ଦେଖିଥିବେ । ଉଭୟ ଆଜି ବନି ଯାଇଛନ୍ତି ଭାରତୀୟ ନାରୀ ଶକ୍ତିର ପ୍ରତୀକ । ଆମ ସେନା ବାହିନୀର ନାରୀ ଶକ୍ତିର ସାହସ, ବୁଦ୍ଧିମତା ଓ ଦୃଢ଼ ସଂକଳ୍ପର ଏକ ଉଦାହରଣ ଆଜି ମୁଁ ଆପଣମାନଙ୍କ ମଧ୍ୟରେ ଦେଖିପାରୁଛି । ଓଡ଼ିଶା ସରକାର ଓ ଓଡ଼ିଶାର ଜନସାଧାରଣ ଏବେ ନାରୀଶକ୍ତିକୁ ଆଗରେ ରଖୁଛନ୍ତି । ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କ ବିକାଶ ପାଇଁ ଆମେ ଅନେକ ଯୋଜନା ଓ ସୁଯୋଗ ସୃଷ୍ଟି କରିଛୁ, ଯାହା ଦ୍ୱାରା ଆପଣମାନେ ଆପଣଙ୍କ ଶକ୍ତିକୁ ପରିପ୍ରକାଶ କରିପାରିବେ ।