ଆବୁଧାବି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ସଙ୍କେତ ଦେଇଛନ୍ତି ଯେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ ଆଲୋଚନା କରିବେ। ଟ୍ରମ୍ପଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ପୁଟିନ ତୁର୍କୀର ଇସ୍ତାନବୁଲରେ ହେବାକୁ ଥିବା ରୁଷ-ୟୁକ୍ରେନ ଶାନ୍ତି ଆଲୋଚନାରେ ଅଂଶଗ୍ରହଣ କରିବେନି ବୋଲି ମନା କରି ଦେଇଛନ୍ତି ।
ମଧ୍ୟପ୍ରାଚ୍ୟର ଚାରି ଦିନିଆ ଗସ୍ତରେ ଥିବା ଟ୍ରମ୍ପ ଆବୁଧାବିରେ ଏକ ସାମ୍ବାଦିକମାନଙ୍କୁ କହିଛନ୍ତି,
“ମୁଁ ଭାବୁଛି ଆମ ପାଇଁ ମୁହାଁମୁହିଁ ବସିବାର ସମୟ ଆସିଛି,” । ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ ପୁଟିନଙ୍କ ଆଲୋଚନାରୁ ଓହରିଯିବା ତାଙ୍କୁ ଆଶ୍ଚର୍ଯ୍ୟ କରିନାହିଁ। ସେ କହିଥିଲେ, “ପୁଟିନ୍ ସେଠାକୁ ଯାଉନାହାଁନ୍ତି କାରଣ ମୁଁ ସେଠାରେ ନାହିଁ।”
ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ ସେ ପୁଟିନଙ୍କ ସହ ସିଧାସଳଖ କଥା ହେବେ ଏବଂ ବୈଠକ “ଯେତେଶୀଘ୍ର ନିର୍ଦ୍ଧାରିତ ହେବ,ତୁରନ୍ତ ବୈଠକ ହେବ”।
ଟ୍ରମ୍ପ ସ୍ପଷ୍ଟ ଭାବରେ କହିଥିଲେ, “ଯେପର୍ଯ୍ୟନ୍ତ ମୁଁ ଏବଂ ପୁଟିନ ଏକାଠି ନ ବସିବୁ, ସେପର୍ଯ୍ୟନ୍ତ କିଛି ଗୁରୁତ୍ୱପୂର୍ଣ୍ଣ ଘଟିବ ନାହିଁ – କେହି ଏହାକୁ ପସନ୍ଦ କରନ୍ତୁ କି ନାହିଁ। କିନ୍ତୁ ଆମକୁ ଏହାର ସମାଧାନ କରିବାକୁ ପଡିବ, କାରଣ ବହୁତ ଲୋକ ମରୁଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାର ମଧ୍ୟସ୍ଥତାରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ସେମାନେ ୩୦ଦିନିଆ ଅସ୍ତ୍ରବିରତି ଯୋଜନାକୁ ମଧ୍ୟ ଅନୁମୋଦନ କରିଛନ୍ତି, କିନ୍ତୁ ରୁଷ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛି ।