ଚାନ୍ଦେଲ୍: ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏବେ ଟିକିଏ ବାଟକୁ ଆସିଛଇ ମଣିପୁର । ପୂରା ସେନା ଛାଉଣିରେ ରହିଛି ମଣିପୁର । ହେଲେ ସ୍ଥିତି ଏବେ ବି ସୁଧୁରିନି । ଏବେ ବି ଆତଙ୍କୀ କାର୍ଯ୍ୟକଳାପ ମଣିପୁରରେ ମାଡିଚାଲିଛି । ଏହାରି ଭିତରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି । ଆତଙ୍କୀ ବିରୋଧରେ ଏବେ ଦେଶରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ବେଳରେ ବୁଧବାର ଦିନ ସୁରକ୍ଷା ବାହିନୀ ଏକ ବଡ଼ ବିଦ୍ରୋହୀ ବିରୋଧୀ ଅଭିଯାନରେ ମଣିପୁରର ଚାନ୍ଦେଲ ଜିଲ୍ଲାରେ ଭାରତ-ମିଆଁମାର ସୀମାରେ ୧୦ ଜଣ ସଶସ୍ତ୍ର ଆତଙ୍କୀଙ୍କୁ ନିହତ କରିଛନ୍ତି, ଏଥିସହିତ ତାଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରବି ଜବତ କରିଛି ସେନା ।
ଆସାମ ରାଇଫଲ୍ସର ଏକ ପାଟ୍ରୋଲିଂ ଦଳ ସନ୍ଦିଗ୍ଧ ବିଦ୍ରୋହୀଙ୍କ ଉପରେ ପ୍ରବଳ ଗୁଳିଚାଳନା କରିଥିଲେ । ନ୍ୟୁ ସମତାଲ ଗାଁ ନିକଟରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ସୈନ୍ୟମାନେ ସଠିକତାର ସହିତ ପ୍ରତିଶୋଧ ନେଇଥିଲେ, ଛଦ୍ମବେଶୀ ୟୁନିଫର୍ମ ପିନ୍ଧିଥିବା ୧୦ ଜଣଙ୍କୁ ଏନକାଉଣ୍ଟର କରିଥିଲେ। ସେନାର ପୂର୍ବ କମାଣ୍ଡ ବୁଧବାର ଦିନ ଏକ୍ସରେ ଏନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି । ପୋଷ୍ଟରେ କହିଛନ୍ତି, ଭାରତ-ମିଆଁମାର ସୀମା ନିକଟବର୍ତ୍ତୀ ଚାନ୍ଦେଲ ଜିଲ୍ଲାର ଖେଙ୍ଗଜୋୟ ତହସିଲର ନ୍ୟୁ ସମତାଲ ଗାଁ ନିକଟରେ ସଶସ୍ତ୍ର କ୍ୟାଡରଙ୍କ ଗତିବିଧି ଉପରେ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟ କରି, ସ୍ପିୟର କର୍ପସ ଅଧୀନରେ ଆସାମ ରାଇଫଲ୍ସ ୟୁନିଟ୍ ମେ ୧୪ ରେ ଏକ ଅଭିଯାନ ଆରମ୍ଭ କରିଥିଲା । ଆଉ ପରେ ସଠିକ୍ ସ୍ଥାନକୁ ଟାର୍ଗେଟ କରି ଗୁଳିଚାଳନା କରିଥିଲା ସେନା ବାହିନୀ । ଏନକାଉଣ୍ଟର ପରେ, ସେନା ଅଞ୍ଚଳରେ ଏକ ବ୍ୟାପକ କମ୍ବିଂ ଅପରେସନ ଆରମ୍ଭ କରିଥିଲା। ସନ୍ଧାନ ସମୟରେ, ସୈନିକମାନେ ସାତଟି AK-47 ରାଇଫଲ୍, ଗୋଟିଏ M4 ରାଇଫଲ୍, ଗୋଟିଏ RPG ଲଞ୍ଚର୍, ଚାରୋଟି ସିଙ୍ଗଲ୍-ବ୍ୟାରେଲ୍ ବ୍ରିଚ୍-ଲୋଡିଂ ରାଇଫଲ୍ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଷ୍ଟୋର ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛନ୍ତି ।
ତେବେ ଏହାକୁ ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ନିହତ ବ୍ୟକ୍ତିମାନେ ସୀମାପାର ବିଦ୍ରୋହୀ କାର୍ଯ୍ୟକଳାପରେ ସାମିଲ ଥିଲେ। କର୍ତ୍ତୃପକ୍ଷ ବର୍ତ୍ତମାନ ସେମାନଙ୍କର ପରିଚୟ ନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।
ସେପଟେ, ଏବେ ଭାରତ-ମିଆଁମାର ସୀମାରେ ସୁରକ୍ଷା ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ କିନ୍ତୁ ନିୟନ୍ତ୍ରଣରେ ରହିଛି। ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସେନା ଅଧିକ ସତର୍କତା ବଜାୟ ରଖିଛି ଏବଂ ନାଗରିକ ପ୍ରଶାସନ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି ।