ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ: ନୋଟରେ ଭାରତ ମାତାଙ୍କ ଫଟୋ ଲଗାଇବାକୁ ଦାବି

ମୁମ୍ବାଇ: ବଲିଉଡର ଜଣାଶୁଣା ଗାୟକ ଅଭିଜୀତ ଭଟ୍ଟାଚାର୍ଯ୍ୟ ପୁଣି ବିବାଦରେ। ମହାତ୍ମା ଗାନ୍ଧୀଙ୍କୁ ନେଇ ତାଙ୍କର ଏକ ବୟାନ ହଇଚଇ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ତୀବ୍ର ବିତର୍କ ଚାଲିଛି। ରାଜନୈତିକ ମହଲରେ ମଧ୍ୟ ଏହା ଚର୍ଚ୍ଚାର ବିଷୟ। ଅଭିଜିତ ଭାରତୀୟ ମୁଦ୍ରାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବଦଳରେ ଭାରତ ମାତାଙ୍କ ଫଟୋ ଲଗାଇବାକୁ ଦାବି କରିଛନ୍ତି।

ଶୁଭଙ୍କର ମିଶ୍ରଙ୍କ ସହ ସାକ୍ଷାତକାରରେ ଅଭିଜିତ ଏହି ବୟାନ ଦେଇଛନ୍ତି। ସେ କହିଛନ୍ତି, “ଆମେ ଛୋଟବେଳୁ ଭାରତ ମାତା କି ଜୟ କହୁଛୁ। ଭାରତ ଆମ ମାତା। ଏହା ଆମ ସଂସ୍କୃତି। ତେବେ ‘ରାଷ୍ଟ୍ରପିତା’ କେଉଁଠୁ ଆସିଲେ? ‘ପିତା’ ଶବ୍ଦ ହଠାତ୍ କେମିତି ଯୋଡ଼ି ହେଲା, ବୁଝି ପାରୁନି।” ସେ ଭାରତର ପ୍ରାଚୀନତାକୁ ନେଇ ମଧ୍ୟ କହିଛନ୍ତି। ଭାରତ ବିଶ୍ୱର ସବୁଠାରୁ ପୁରାତନ ସଭ୍ୟତା। ବେଦ, ପୁରାଣ ଓ ଖଗୋଳ ବିଜ୍ଞାନ ଏହାର ପ୍ରମାଣ।

ଅଭିଜିତ ଭାରତୀୟ ମୁଦ୍ରା ବିଷୟରେ ମତ ଦେଇଛନ୍ତି। ସେ କହିଛନ୍ତି, “ଆମ ମୁଦ୍ରାରେ ଭାରତ ମାତାଙ୍କ ଫଟୋ ରହିବା ଉଚିତ। କୌଣସି ପିତାଙ୍କର ନୁହେଁ। ଏହା ହିଁ ସଠିକ୍ ଉପାୟ। ଏହା ଆମ ଅର୍ଥନୀତିକୁ ଆଗେଇବ ।

ଅଭିଜିତଙ୍କୁ ପଚରାଯାଇଥିଲା, ମହାତ୍ମା ଗାନ୍ଧୀ କ’ଣ ତାଙ୍କ ପାଇଁ ରାଷ୍ଟ୍ରପିତା ନୁହଁନ୍ତି? ସେ କହିଛନ୍ତି, “ମୁଁ ଜାଣିନି। ହୁଏତ ସେ କିଛି ଲୋକଙ୍କର ପିତା ହୋଇପାରନ୍ତି।” ଏହି ବୟାନ ବିବାଦ ସୃଷ୍ଟି କରିଛି।

ଏହା ଅଭିଜିତଙ୍କର ପ୍ରଥମ ବିବାଦୀୟ ବୟାନ ନୁହେଁ। ୨୦୨୪ ଜାନୁଆରୀରେ ସେ ଗାନ୍ଧୀଙ୍କୁ ‘ପାକିସ୍ତାନର ରାଷ୍ଟ୍ରପିତା’ କହିଥିଲେ। ସେତେବେଳେ ତାଙ୍କ ବିରୋଧରେ ତୀବ୍ର ପ୍ରତିବାଦ ହୋଇଥିଲା। ଆଇନଗତ ନୋଟିସ ମଧ୍ୟ ଜାରି ହୋଇଥିଲା।

ଅଭିଜିତ ସଙ୍ଗୀତ ନିର୍ଦ୍ଦେଶକ ଆରଡି ବର୍ମନ (ପଞ୍ଚମ ଦା)ଙ୍କ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, ଯଦି ଲୋକେ ପଞ୍ଚମ ଦାଙ୍କୁ ନ ଜାଣନ୍ତି, ତେବେ ଆମେ ସେମାନଙ୍କୁ ଜଣାଇବା ଦାୟିତ୍ୱ। ସେ କହିଛନ୍ତି, ଗାନ୍ଧୀଙ୍କୁ ‘ଭୁଲରେ’ ଭାରତର ରାଷ୍ଟ୍ରପିତା କରାଯାଇଛି।

ଅଭିଜିତଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ମିଳୁଛି। କେହି ଏହାକୁ ଅପମାନଜନକ ଓ ଅସମ୍ବେଦନଶୀଳ ବୋଲି କହିଛନ୍ତି। ଆଉ କେହି ଏହାକୁ ବ୍ୟକ୍ତିଗତ ମତ ବୋଲି କହି ଏଡ଼ାଇ ଦେଇଛନ୍ତି।

Leave A Reply

Your email address will not be published.