ଅକ୍ଷୟ କୁମାରଙ୍କ ‘ଓଏମଜି-୨’ : ହୋଇପାରେ ୨୦ଟି କଟ୍, ମିଳିପାରେ ‘ଏ’ ସାର୍ଟିଫିକେଟ୍

ମୁମ୍ବାଇ: ଏବେ ଚର୍ଚ୍ଚାରେ ଅଛି ଅକ୍ଷୟ କୁମାର ଓ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ଓଏମଜି-୨’।  ସେନସର ସାର୍ଟିଫିକେଟ ଲାଗି  ସିବିଏଫସି (ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ୍) ଦ୍ୱାରା ପୁନଃ ସମୀକ୍ଷା ପାଇଁ ପଠାଯାଇଛି।  ଫିଲ୍ମରେ ଏପରି କିଛି ଦୃଶ୍ୟ ରହିଛି, ଯାହାକୁ ନେଇ ଲୋକମାନେ ଆପତ୍ତି କରିବେ ବୋଲି ଅଭିଯୋଗ ହୋଇଥିଲା । ‘ଓଏମଜି-୨’ ଅଗଷ୍ଟ ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି କିନ୍ତୁ ଏବେ ଯାଏ ସିବିଏଫସି ଏହାକୁ ରିଲିଜ କରିବାକୁ ସବୁଜ ସଙ୍କେତ ଦେଇନାହିଁ ଏବଂ ନିର୍ମାତାମାନେ ଫିଲ୍ମର ପ୍ରମୋସନ ପାଇଁ ଷ୍ଟାରମାନଙ୍କ ସହ ଅଟକି ରହିଛନ୍ତି।

ବର୍ତ୍ତମାନ ଖବର ଆସୁଛି ଯେ, ସିବିଏଫସି ସଂଶୋଧନ କମିଟି ଫିଲ୍ମରୁ ପ୍ରାୟ ୧୫-୨୦ ଟି ସିନ କାଟିବାକୁ କହିଛି। ଏହା ସହିତ ଫିଲ୍ମକୁ ବୟସ୍କ ପ୍ରମାଣପତ୍ର ଦେବା ଉଚିତ୍ ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି। ତେଣେ ନିର୍ମାତାମାନେ କହିଛନ୍ତି ଯେ ଫିଲ୍ମରେ ସେମିତି କିଛି ଦୃଶ୍ୟ ନାହିଁ ଯେଉଁଠାରେ କଟ୍ ଆବଶ୍ୟକ। ସେମାନେ ଏହି ପରାମର୍ଶକୁ ଅସ୍ୱୀକାର କରିଛନ୍ତି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଫିଲ୍ମରେ କିଛି ଦୃଶ୍ୟକୁ ନେଇ ସିବିଏଫସି ପକ୍ଷରୁ ଆପତ୍ତି ଉଠାଯାଇଥିଲା, ଯାହା ପରେ ସମୀକ୍ଷା ପାଇଁ କମିଟିକୁ ପଠାଯାଇଥିଲା। ତେବେ ଫିଲ୍ମର କେଉଁ ଦୃଶ୍ୟକୁ ଲୋକମାନେ ଆପତ୍ତି କରିପାରନ୍ତି ସେ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ।

‘ଓଏମଜି-୨’ ର ପ୍ରଥମ ଟିଜର ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଥିଲା। ଏଥିସହିତ କିଛି ଲୋକଙ୍କୁ ଅକ୍ଷୟ କୁମାରଙ୍କ ‘ଶିବ’ ଚରିତ୍ର ଏବଂ ରେଳ ଷ୍ଟେସନରେ ହ୍ୟାଣ୍ଡପମ୍ପ ତଳେ ଶିବ ଗାଧୋଇବାର ଦୃଶ୍ୟ ଟିକେ ଅଜବ ଲାଗିଥିଲା। ଫିଲ୍ମଟି ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ଘୋଷଣା ହୋଇଛି। କିନ୍ତୁ ନିର୍ମାତାମାନେ ସିବିଏଫସି ଓ ସଂଶୋଧନ କମିଟିର ପରାମର୍ଶ ମଧ୍ୟରେ ଅଟକି ରହିଛନ୍ତି।

Leave A Reply

Your email address will not be published.