ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଲା ସିଂହଦ୍ବାର ଥାନା ପୋଲିସ। ସିଂହଦ୍ବାର ଥାନାରେ ଅଟକ ରଖି ପୋଲିସ କରୁଛି ପଚରାଉଚରା। ସନ୍ଦିଗ୍ଧ ବ୍ୟକ୍ତି ହେଉଛନ୍ତି ରଘୁନାଥ ସାହୁ। ସେ କାହିଁକି ଏଭଳି ଲେଖିଥିଲେ ସେନେଇ ଚାଲିଛି ଜେରା।
ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିଛି । ତାଙ୍କୁ ସିଂହଦ୍ବାର ଥାନାକୁ ଆଣି ପଚରାଚଉରା କରାଯାଉଛି। ସେ ଜଣେ ମାନସିକ ବିକାର ଗସ୍ତ ବ୍ୟକ୍ତି ବୋଲି ଜଣାପଡିଛି। ସେ ନିଜେ ଲେଖିଥିବା ପୋଲିସ ନିକଟରେ ସ୍ବୀକାର କରିଛି। ପୂର୍ବରୁ ମଧ୍ୟ ପାରିବାରିକ ସମସ୍ୟା ନେଇ ସେ ଏଭଳି ଆଚରଣ କରିଥିବା ଜଣାପଡ଼ିଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢୀ ମାଆ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିଲା ଅଭିଯୁକ୍ତ। ଏହି ବ୍ୟକ୍ତିଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ। ତାକୁ ଧରି ଆଣିବା ସମୟରେ ସେ ପୋଲିସ ସହ ପ୍ରବଳ ପାଟିତୁଣ୍ଡ ବି କରିଥିଲା। ସିଂହଦ୍ବାର ଥାନାରେ ସିନ ରିକ୍ରିଏଟ କରିଛି ପୋଲିସ। ମନ୍ଦିର କାନ୍ଥରେ ଲେଖାଯାଇଥିବା ଧମକପୂର୍ଣ୍ଣ ବାର୍ତ୍ତାକୁ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପରେ ଲିଭାଇ ଦେଇଥିଲା ପ୍ରଶାସନ।