ଟିମ ଇଣ୍ଡିଆର ଭବିଷ୍ୟତ ଅଧିନାୟକ: ସୁଯୋଗ ହାତଛଡା କଲେ ପନ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ରିଷଭ ପନ୍ତଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ପନ୍ତଙ୍କ ପାଇଁ ଏହି ଆଇପିଏଲ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ମାତ୍ର ସବୁ ସୁଯୋଗ ସେ ହାଥଛଡା କରିଛନ୍ତି । ଭାରତୀୟ କ୍ରିକେଟ ଟିମ ଏବେ ଭବିଷ୍ୟତ ପାଇଁ ଯୁବ ଅଧିନାୟକ ଖୋଜୁଛି । ଏହି ଦୌଡରେ ପନ୍ତ ଏବଂ ଶୁଭମନ ଗିଲ ଆଗରେ ରହିଥିଲେ । ଆଇପିଏଲ ସେମାନଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ଥିଲା । ପନ୍ତ ବ୍ୟକ୍ତିଗତ ଖରାପ ପ୍ରଦର୍ଶନ କରିବା ସହ ଲକ୍ଷ୍ନୌ ସୁପର ଜ୍ୟାଂଟସର ନେତୃତ୍ୱ ମଧ୍ୟ ସୁଚାରୁରୂପେ ତୁଲାଇ ପାରି ନାହାନ୍ତି ।

ଅପରପକ୍ଷରେ ଗିଲ ଗୁଜରାଟ ଟାଇଟାନ୍ସର ନେତୃତ୍ୱ ନେଇ ପ୍ରଭାବିତ କରିଥିବା ବେଳେ ବ୍ୟାଟିଂରେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଏହି ଦୌଡରେ ଏବେ ପନ୍ତଙ୍କୁ ଗିଲ ପଛରେ ପକାଇ ଦେଇଛନ୍ତି । ପନ୍ତ ୧୧ଟି ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି । ଚାପଭରା ପରିସ୍ଥିତିରେ ସେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ଟେଷ୍ଟ ଟିମର ଅଧିନାୟକ ହେବାକୁ ହେଲେ ସବୁ ଦିଗରେ ପାରଙ୍ଗମ ହେବା ଜରୁରୀ ।

ଗିଲ ୧୦ ମ୍ୟାଚରେ ୪୬୫ ରନ ସଂଗ୍ରହ କରି ସାରିଛନ୍ତି । ଗୁଜରାଟ ତାଙ୍କ ନେତୃତ୍ୱରେ ପ୍ଲେ ଅଫ ପ୍ରବେଶ ଆଶା ପ୍ରାୟତଃ ନିଶ୍ଚିତ କରିଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିସିସିଆଇ ଯେତେଦୂର ସମ୍ଭବ ରୋହିତ ଶର୍ମାଙ୍କୁ ପୂର୍ବ ଭଳି ଅଧିନାୟକ ପଦ ପ୍ରଦାନ କରିବ । ଗିଲ ଏବଂ ପନ୍ତଙ୍କ ମଧ୍ୟରୁ କିଏ ଉପ ଅଧିନାୟକ ହେବେ ତାହା ଉପରେ ମଧ୍ୟ ନଜର ରହିବ ।

Leave A Reply

Your email address will not be published.