ସିଙ୍ଗାପୁରରେ ଫାଇବ୍ ଷ୍ଟାର ଓଲିଉଡ ମହୋତ୍ସବ: ବିଶ୍ଵ ଦରବାରରେ ପରିଚିତ ହେବ ଓଡ଼ିଆ ସିନେମାର ପାରଦର୍ଶିତା

ଭୁବନେଶ୍ବର: ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଫାଇବ ଷ୍ଟାର ଓଲିଉଡ ପୁରସ୍କାରକୁ କେନ୍ଦ୍ର କରି ଜୋରଦାର ପ୍ରସ୍ତୁତି ପର୍ବ ଚାଲିଥିବା ଲକ୍ଷ୍ଯ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଦ୍ଵିତୀୟ ଥର ପାଇଁ ଦେଶ ବାହାରେ ଆର.ଆର ଇଭେଣ୍ଟସ ଏଣ୍ଡ ସିନେ ପ୍ରଡକ୍ସନ (ଆର.ଆର.ଇ.ସି.ପି.) ଏବଂ ଓଡ଼ିଆ ସୋସାଇଟି ଅଫ୍ ସିଙ୍ଗାପୁରର ମିଳିତ ଉଦ୍ୟମରେ ଏହି ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବାକୁ ଯାଉଛି।

ଓଲିଉଡ ପୁରସ୍କାରକୁ ଭାରତ ବାହାରକୁ ନେଇ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରିବା ପାଇଁ ଆର.ଆର. ଇଭେଣ୍ଟସ ଓ ସିନେ ପ୍ରଡକନ୍ସର ପ୍ରତିଷ୍ଠାତା ରମେଶ ବାରିକଙ୍କର ମହତ ଆକାଂକ୍ଷା ରହିଥିବା ଜଣାଯାଇଛି। ଏହା ପୂର୍ବରୁ ଦେଶ ବାହାରେ ପ୍ରଥମଥର ପାଇଁ ଆର.ଆର.ଇ.ସି.ପି. ଦୁବାଇଠାରେ ଗତ ବର୍ଷ ଏହି ପୁରସ୍କାର ସମାରୋହ ବ୍ୟାପକ ସଫଳତାର ସହ ଆୟୋଜନ କରିଥିଲା।

ଫାଇବ୍ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୫ ସିଙ୍ଗାପୁର ନାମରେ ନାମିତ ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଓ ଉଚ୍ଚକୋଟୀର ଚଳଚ୍ଚିତ୍ରର ଅନନ୍ୟ ଓ ନିଆରା ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। ଏହି ଭବ୍ୟ ଓ ଦିବ୍ୟ ଉତ୍ସବରେ ଓଡ଼ିଶାର ହସ୍ତତନ୍ତ ପ୍ରଦର୍ଶନୀ, ବୟନିକା ପକ୍ଷରୁ ଫ୍ୟାଶନ ସୋ, ମନଲୋଭା ଓଡ଼ିଶୀ ନୃତ୍ୟ ଏବଂ ସୁଲଳିତ ସଙ୍ଗୀତର ମଧୁର ମୂର୍ଚ୍ଛନା ମଧ୍ଯ ସ୍ଥାନ ପାଇବାକୁ ଯାଉଛି।

ସିଙ୍ଗାପୁରର ୱାନ୍ ୱାର୍ଲଡ ଇଣ୍ଟରନେସନାଲ ସ୍କୁଲର କ୍ୱାଣ୍ଟମ ଏରେନା ପ୍ରେକ୍ଷାଳୟଠାରେ ଆସନ୍ତା ୧୦ ତାରିଖର ଅପରାହ୍ନରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ମହାକୁମ୍ଭରେ, ସିଙ୍ଗାପୁରରେ ଅବସ୍ଥାନ କରୁଥିବା ସହସ୍ରାଧିକ ମାନ୍ୟଗଣ୍ୟ ଓଡ଼ିଆ, ଓଲିଉଡ ପ୍ରେମୀ ଜନସାଧାରଣ ଏବଂ ଓଡ଼ିଆ ତାରକାମାନଙ୍କର ପ୍ରଶଂସକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଫାଇବ୍ ଷ୍ଟାର ଫିଲ୍ମ ଆୱାର୍ଡସ ଉତ୍ସବରେ ଭାଗ ନେବା ପାଇଁ ଓଡ଼ିଶାର ଚଳଚ୍ଚିତ୍ର, ନୃତ୍ୟ ଓ ସଙ୍ଗୀତ ଜଗତର ପ୍ରାୟ ୧୦୦ ଜଣ ନାମଦାମୀ କଳାକାର ଭୁବନେଶ୍ବରରୁ ସିଙ୍ଗାପୁର ଅଭିମୁଖେ ବିମାନ ଯାତ୍ରା କରିବାକୁ ଯାଉଥିବା ଜଣାପଡ଼ିଛି। ଏହି ଦ୍ଵିତୀୟ ଅନ୍ତର୍ଜାତୀୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥି ଭାବରେ ଭାରତୀୟ ହାଇକମିଶନର ପ୍ରଥମ ଅଫିସର ସାନିୟାନ ଯୋଶୀ , ବିଶିଷ୍ଟ ଉଦ୍ୟୋଗପତି କେ.ରାମମୂର୍ତ୍ତି, ବିଧାୟକ ଆକାଶ ଦାସ ନାୟକ, ପ୍ରଶାନ୍ତ ଜୟଦେବ, ଅଗସ୍ତି ବେହେରା, ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ବିଜେତାମାନଙ୍କୁ ଚୟନ କରିବା ପାଇଁ ଉଦ୍ଦିଷ୍ଟ କମିଟିର ଅଧ୍ୟକ୍ଷ ଭାବରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ରହିଛନ୍ତି। ଓଡ଼ିଆ ସିନେମାର ଗୁଣବତ୍ତା ଓ ପାରଦର୍ଶିତାକୁ ବିଶ୍ଵ ଦରବାରରେ ପରିଚିତ ଓ ପ୍ରତିଷ୍ଠିତ କରାଇବା ଏହି ଉତ୍ସବର ମୁଖ୍ଯ ଉଦ୍ଦେଶ୍ଯ ବୋଲି ଆୟୋଜକ ରମେଶ ବାରିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.