ସମ୍ବଲପୁର: ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶା। ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ନିକଟରେ ଗୁରୁବାର ଲାଗି ହୋଇଛି ନବାନ୍ନ।
ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ପ୍ରଥମେ ଭୋଗ ଆସିଥିଲା । ଏହାପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ନବାନ୍ନ ଲାଗି ହୋଇଥିଲା । ଏହି ଅବସରରେ ନୂଆ ଚାଉଳ ସହିତ କ୍ଷୀରି, ପିଠା, ସାରୁଶାଗ ଲାଗି ହୋଇଛି ।
ମା’ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି କରାଯାଇଛି। ଏହା ପରେ ମାଆଙ୍କ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲାଯାଇଛି ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ନବାନ୍ନ ଖାଇଥାନ୍ତି ।
ସୁବର୍ଣ୍ଣପୁରରେରେ ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ପରମ୍ପରା ଅନୁସାରେ ସୁବର୍ଣ୍ଣପୁରର ଇଷ୍ଟଦେବୀ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢ଼ୀସମଲାଇ ଆଦି ଅଷ୍ଟଚଣ୍ଡୀଙ୍କ ପାଖକୁ ରାଜ ଭୋଗ ଖଞ୍ଜା ହୋଇଥାଏ ।
ସେହିପରି ବଲାଙ୍ଗୀର ସମଲେଶ୍ବରୀ ମନ୍ଦିରରେ ଧାର୍ଯ୍ୟ ଲଗ୍ନ ଅନୁସାରେ, ଗୁରୁବାର ପୂର୍ବାହ୍ନ ୯ଟା ୪୭ରୁ ୧୧ଟା୧୧ମିନିଟ୍ ମଧ୍ୟରେ ପାରମ୍ପରିକ ରୀତିରେ ନବାନ୍ନ ଅର୍ପଣ କରାଯାଇଛି। ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ମୁଖ୍ୟ ପୂଜକ ଦେବୀଙ୍କୁ ନୂଆକୁଣ୍ଡା ଅର୍ପଣ କରି ସମସ୍ତ ପ୍ରାଣୀଙ୍କ ମଙ୍ଗଳ ବିଧାନ ପାଇଁ ପ୍ରାର୍ଥନା କରିଛନ୍ତି। ସମାନ ବିଧିରେ ଦେବୀ ପାଟଣେଶ୍ବରୀଙ୍କ ମନ୍ଦିରରେ ମଧ୍ୟ ନୂଆ ଲାଗିଛି। ଏହାପରେ ଶ୍ରଦ୍ଧାଳୁମାନେ ଇଷ୍ଟଦେବୀ ପାଟଣେଶ୍ୱରୀ, ସମଲେଶ୍ବରୀ ମନ୍ଦିରକୁ ଆସି ଦର୍ଶନ କରିବା ପରେ ପାରମ୍ପରିକ ନୂଆଖାଇ ଜୁହାର ଭେଟ ଆରମ୍ଭ ହୋଇଯାଇଛି।