ଭୁବନେଶ୍ୱର: ନ୍ୟାସନାଲ ଜିଓଗ୍ରାଫିକର କଭରରେ ସ୍ଥାନ ପାଇବା ପ୍ରତ୍ୟେକ ଫଟୋଗ୍ରାଫରଙ୍କ ସ୍ୱପ୍ନ। ଏଭଳୀ ସ୍ବପ୍ନ ପୂରଣ ହୋଇଛି ୱାଇଲ୍ଡ ଲାଇଫ ଫଟୋଗ୍ରାଫର ପ୍ରସେନଜିତ ଯାଦବଙ୍କର।
ପ୍ରସେନଜିତ ଯାଦବଙ୍କର ଏକ ଫଟୋଗ୍ରାଫି ଅକ୍ଟୋବର ୨୦୨୫ ସଂସ୍କରଣ ପାଇଁ ପ୍ରତିଷ୍ଠିତ ୱାଇଲ୍ଡଲାଇଫ୍ ମାଗାଜିନ୍ କଭରରେ ଶୋଭା ପାଉଛି।
ନ୍ୟାସନାଲ ଜିଓଗ୍ରାଫିକ୍ ଦ୍ୱାରା ଚୟନ କରାଯାଇଥିବା ଫଟୋଟିର ଓଡ଼ିଶା ସହ ଲିଙ୍କ ରହିଛି। କାରଣ ଉକ୍ତ ଫଟୋ ହେଉଛି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଟାଇଗର ରିଜର୍ଭରୁ ଉତ୍ତୋଳନ ହୋଇଥିବା ଏକ ବିରଳ କଳା ବାଘର।
ଶିମିଳିପାଳ ଜାତୀୟ ଉଦ୍ୟାନର ଘନ ଜଙ୍ଗଲରେ ଏହି କଳା ବାଘକୁ ଟ୍ରାକ୍ କରିବା ପାଇଁ ପ୍ରସେନଜିତଙ୍କୁ ମାସ ମାସର ଅକ୍ଳାନ୍ତ ପରିଶ୍ରମ ଏବଂ ଧୈର୍ଯ୍ୟର ଆବଶ୍ୟକତା ପଡ଼ିଥିଲା।
ଅଲ୍ ଓଡ଼ିଶା ଟାଇଗର ଏଷ୍ଟିମେସନ୍ (AOTE) ୨୦୨୩-୨୪ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଟାଇଗର ରିଜର୍ଭରେ ୧୩ଟି କଳା ବାଘ ଅଛନ୍ତି। ଆଉ ମୋଟ ବାଘ ସଂଖ୍ୟା ୨୭ ହୋଇଥିବା ବେଳେ ସେଥିରେ ଆଠଟି ବାଘ ଛୁଆ ଅଛନ୍ତି।
ତେବେ କଭର ପେଜ୍ରେ ସ୍ଥାନିତ ହୋଇଥିବା ବାଘଟି ସ୍ୟୁଡୋ ମେଲାନିଷ୍ଟିକ୍ ଟାଇଗର ପ୍ରଜାତିର ହୋଇଥିବା ବେଳେ ଏହା ବିଶ୍ୱର ସବୁଠାରୁ ଦୁର୍ଲଭ ବାଘ ମଧ୍ୟରୁ ଅନ୍ୟତମ।
ନ୍ୟାସନାଲ ଜିଓଗ୍ରାଫିକ୍ ଫଟୋଗ୍ରାଫର ଏବଂ ଏକ୍ସପ୍ଲୋରର୍ ଭାବରେ ଶିମିଳିପାଳର ଜଙ୍ଗଲରେ ରହିବା ଏକ ନିଆରା ଅନୁଭୂତି। “ଏହି ବାଘମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ବନ ବିଭାଗର ଉତ୍ସର୍ଗୀକୃତ, ଭୂମିଗତ ପରିଚାଳନା ଏବଂ ଏହାର ଅଧିକାରୀଙ୍କ ପ୍ରତିବଦ୍ଧତା ମୁଁ ପ୍ରତ୍ୟକ୍ଷ ଭାବରେ ଦେଖିଛି”। ଟି୧୨ ଭାବେ ପରିଚିତ ଥିବା ବାଘର ଏକ ଉତ୍କୃଷ୍ଟ ଫଟୋ ନେବା ତାଙ୍କ ପାଇଁ ଆନନ୍ଦଦାୟକ ମୁହୂର୍ତ୍ତ ଥିଲା ବୋଲି ପ୍ରକାଶ କରିଛନ୍ତି ପ୍ରସେନଜିତ।
ଅପରପକ୍ଷରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି। ପତ୍ରିକାରେ ଆଲେଖ୍ୟ ଓ ଫଟୋ ପାଇଁ ପ୍ରସେନଜିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।