ଭାରତୀୟ ବଂଶୋଦ୍ଭବ ମୋଟେଲ ମ୍ୟାନେଜରଙ୍କୁ ଗୁଳିମାଡ

ୱାଶିଂଟନ: ଆମେରିକାର ପେନସିଲଭାନିଆର ପିଟ୍ସବର୍ଗରେ ଜଣେ ଭାରତୀୟ-ଆମେରିକୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ୫୧ ବର୍ଷୀୟ ରାକେଶ ଏହାଗବାନ ବୋଲି ଜଣାପଡ଼ିଛି। ଯିଏକି ରବିନସନ୍ ଟାଉନସିପରେ ଏକ ମୋଟେଲର ମ୍ୟାନେଜର ଅଟନ୍ତି।

ତେବେ ୩୭ ବର୍ଷୀୟ ଯୁବକ ୟୁଜିନ୍ ୱେଷ୍ଟ, ରାକେଶଙ୍କୁ ନିକଟରୁ ଗୁଳି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏହିସବୁ ଘଟଣା ମୋଟେଲରେ ଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ନେଇ ସୂଚନା ମିଳିଛି। ସନ୍ଦିଗ୍ଧ ବ୍ୟକ୍ତି ଜଣକ ପ୍ରାୟ ଦୁଇ ସପ୍ତାହ ଧରି ପିଟ୍ସବର୍ଗ ମୋଟେଲରେ ଜଣେ ମହିଳା ଏବଂ ପିଲା ସହିତ ରହୁଥିଲେ। ଏଥିସହିତ ପିଟ୍ସବର୍ଗର ଉତ୍ତର ଭାଗରେ ଥିବା ପେଜ୍ ଷ୍ଟ୍ରିଟରେ ମଧ୍ୟ ତାଙ୍କର ଏକ ଠିକଣା ଥିବା ଜଣାପଡିଛି। ମହିଳା ଜଣକ ନିଜ ପିଲା ସହିତ  କାରରେ ବସିଥିବା ସମୟରେ ଅଭିଯୁକ୍ତ ଜଣକ ତାଙ୍କୁ ଗୁଳି କରିଥିବା ସୂତ୍ରରୁ ଜଣାପଡ଼ିଛି।

ଆକ୍ରମଣରେ ମହିଳାଙ୍କ ବେକରେ ଆଘାତ ପହଞ୍ଚିଥିଲା। ପରେ ଆହତ ମହିଳା ଜଣକ କେର୍ନିକ୍ ଟାୟାର ଏବଂ ଅଟୋ ସେବା କେନ୍ଦ୍ରରେ ପହଞ୍ଚିଥିଲେ ଓ ସେଠାରେ ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ମହିଳାଙ୍କ ସହିତ ପଛ ସିଟରେ ବସିଥିବା ପିଲାଟିକୁ କୌଣସି ପ୍ରକାରର ଆଘାତ ପହଞ୍ଚିନଥିବା ନେଇ ପୋଲିସ ସୂଚନା ଦେଇଛି। ତେବେ ଏହି ଗୁଳିକାଣ୍ଡ ସମୟରେ ରାକେଶ ଏହାଗବାନ ମୋଟେଲ ବାହାରକୁ ଚାଲିଆସିଥିଲେ ଓ ଅଭିଯୁକ୍ତ ଜଣକ ଏହାଗବାନଙ୍କୁ କିଛି ପାଦ ଦୂରରୁ ତାଙ୍କ ମୁଣ୍ଡରେ ଗୁଳି କରିଥିଲେ। ଫଳରେ  ମୋଟେଲ ମାଲିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ମୋଟେଲ ମାଲିକଙ୍କୁ ହତ୍ୟା କରିବା ପରେ ୱେଷ୍ଟ ପାଖରେ ପାର୍କ ହୋଇଥିବା ଏକ ୟୁ-ହଲ ଭ୍ୟାନ୍ ପାଖକୁ ଦୌଡ଼ି ପଳାଇଥିଲେ।

ପରେ ପୋଲିସ ଅଭିଯୁକ୍ତଙ୍କୁ ପିଟ୍ସବର୍ଗର ପୂର୍ବ ହିଲ୍ସ ଅଞ୍ଚଳରେ ପାଇଥିଲା। ତାକୁ ଧରିବା ସମୟରେ ସେ ଅଧିକାରୀଙ୍କ ସହିତ ଗୁଳି ବିନିମୟ କରିଥିଲା ଯେଉଁଥିରେ ଜଣେ ଅଧିକାରୀ ଆହତ ମଧ୍ୟ ହୋଇଥିଲେ। ପରେ ପୋଲିସ ୟୁଜିନ ୱେଷ୍ଟଙ୍କୁ ଏନକାଉଣ୍ଟର ସହ ଗିରଫ କରିଥିଲା ଓ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ମଧ୍ୟ ନିଆଯାଇଥିଲା। ତେବେ ୟୁଜିନ ୱେଷ୍ଟଙ୍କ ବିରୁଦ୍ଧରେ ଅପରାଧିକ ହତ୍ୟା, ହତ୍ୟା ଉଦ୍ୟମ ଭଳି ଅଭିଯୋଗ ହୋଇଥିବା ନେଇ ପୋଲିସ କହିଛି।

Leave A Reply

Your email address will not be published.