ପୁଣି ମଣିପୁରରେ ସଂଘର୍ଷ: ଲାଗିଲା କର୍ଫ୍ୟୁ

କିଛି ଦିନର ଶାନ୍ତି ପରେ ପୁଣି ମଣିପୁରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ରାଜଧାନୀ ଇମ୍ଫାଲର କିଛି ସ୍ଥାନରେ ସୋମବାର ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏନେଇ କେତେକ ସ୍ଥାନରେ ପୋଡା ଜଳା ଏବଂ ଭଙ୍ଗାରୁଜା ମଧ୍ୟ ହୋଇଛି। ସ୍ଥତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଞ୍ଚଳରେ ଯବାନଙ୍କୁ ମୁତୟନ କରାଯାଇଛି। ଏପରିକି କେତେକ ସମ୍ବେଦନଶୀଳ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ୨ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ନ୍ୟୁଚେକୋନରେ ଉତ୍ତେଜନା ଦେଖାଦେବା ସହ ମାର୍‌ପିଟ ହୋଇଛି। ସ୍ଥାନୀୟ ମାର୍କେଟରେ ସ୍ଥାନ ସଂରକ୍ଷଣକୁ ନେଇ ଏହି ସଂଘର୍ଷ ଘଟିଥିବା ସୂଚନା ମିଳିଛି। ସଂଘର୍ଷ ପରେ ଦୁଇ ସମ୍ପ୍ରଦାୟ ଲୋକ ପରସ୍ପରର ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ଅଞ୍ଚଳରେ ଫୋର୍ସ ମୁତୟନ କରାଯିବା ସହ ମଧ୍ୟାହ୍ନ ୧ଟାରୁ କର୍ଫ୍ୟୁ ଲାଗୁ କରାଯାଇଛି। କର୍ଫ୍ୟୁ ଲାଗୁ ହେବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଛି। ଏପରିକି ଲୋକଙ୍କୁ ଘରେ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଚଳିତ ମାସ ଆରମ୍ଭରେ ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀ ଲୋକଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇ ରାଜ୍ୟସାରା ବ୍ୟାପି ଯାଇଥିଲା। ଏଥିରେ ୭୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ମଣିପୁରରେ ଯବାନଙ୍କୁ ମୃତୟନ କରାଯାଇଥିଲା।

Leave A Reply

Your email address will not be published.