ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅମ୍ବାଲା ବାୟୁସେନା ଷ୍ଟେସନ୍ରୁ ଏକ ରାଫେଲ ଲଢ଼ୁଆ ବିମାନରେ ଉଡ଼ାଣ ଭରିଛନ୍ତି । ଭାରତୀୟ ବାୟୁସେନା ମୁଖ୍ୟ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ୍ ସିଂହ ନିଜେ ରାଫେଲ ବିମାନ ଉଡ଼ାଇଥିବା ବେଳେ ଏଥିରେ ରାଷ୍ଟ୍ରପତି ବସି ଉଡାଣର ମଜା ନେଇଥିଲେ ।
ତେବେ ଆଜି ସକାଳୁ ରାଫେଲ ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ଅମ୍ବାଲା ବାୟୁସେନା ଷ୍ଟେସନରେ ପହଞ୍ଚିଥିଲେ ମହାମହିମ। ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଅପରେସନ ସିନ୍ଦୁର ସମୟରେ ରାଫେଲ ଯୁଦ୍ଧ ବିମାନ ବ୍ୟବହାର କରିଥିଲା। ଯାହା ପାକିସ୍ତାନର ନିଦ ହଜାଇ ଦେଇଥିଲା । ଆଉ ଆଜି ଦେଶର ପ୍ରଥମ ନାଗରିକ ତଥା ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ମହାମହିମ ଏହି ରାଫେଲ୍ ବସି ତାର ଗୌରବ ବଢାଇଛନ୍ତି ।
ତେବେ ପୂର୍ବରୁ ମଧ୍ୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ମୁର୍ମୁ ୮ ଏପ୍ରିଲ, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଉଡ଼ାଇଥିଲେ, ଏବଂ ଏପରି କରିବାରେ ସେ ତୃତୀୟ ରାଷ୍ଟ୍ରପତି ହୋଇଥିଲେ।
ଫ୍ରାନ୍ସ ଏରୋସ୍ପେସ୍ କମ୍ପାନୀ ଡାସଲ୍ଟ ଆଭିଏସନ୍ ଦ୍ୱାରା ନିର୍ମିତ ରାଫେଲ ଲଢ଼ୁଆ ବିମାନକୁ ସେପ୍ଟେମ୍ବର ୨୦୨୦ରେ ଅମ୍ବାଲା ବାୟୁସେନା ଷ୍ଟେସନରେ ଆନୁଷ୍ଠାନିକ ଭାବରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ପ୍ରଥମ ପାଞ୍ଚଟି ରାଫେଲ ବିମାନକୁ ୧୭ତମ ସ୍କ୍ୱାର୍ଡନ୍, “ସୁବର୍ଣ୍ଣ ବାଣ” ରେ ସାମିଲ କରାଯାଇଥିଲା। ଏହି ବିମାନଗୁଡ଼ିକ ୨୭ ଜୁଲାଇ, ୨୦୨୦ରେ ଫ୍ରାନ୍ସରୁ ଏଠାକୁ ଆସିଥିଲେ।
ସମ୍ପ୍ରତି ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିୟନ୍ତ୍ରିତ ଅଞ୍ଚଳରେ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବା ପାଇଁ ମେ ୭ ତାରିଖରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁରରେ ରାଫେଲ ବିମାନ ବ୍ୟବହାର କରାଯାଇଥିଲା। ଏହି ଆକ୍ରମଣ ଯୋଗୁଁ ଚାରି ଦିନ ଧରି ତୀବ୍ର ସାମରିକ ସଂଘର୍ଷ ହୋଇଥିଲା, ଯାହା ମେ ୧୦ରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଏକ ଚୁକ୍ତିନାମା ହେବା ପରେ ଶେଷ ହୋଇଥିଲା।