ଅହମ୍ମଦାବାଦ: ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଈଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଯଶପ୍ରୀତ ବୁମରାହ ଓ ଅକ୍ଷର ପଟେଲଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ନ୍ୟୂଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ଭାରତ ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ଏହି ବିଜୟ ସହ ଭାରତ ଅନେକ ଭ୍ରମ ଦୂର କରିଛି । ଆୟୋଜକ ଦେଶ ଭାବେ ଟାଇଟଲ ହାସଲ କରିବା, କ୍ରମାଗତ ଚାମ୍ପିୟନ ହେବା ଏବଂ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଜୟ ଧ୍ୱଜା ଉଡାଇ ସମାଲୋଚକଙ୍କ ମୁହଁ ବନ୍ଦ କରିଛି ।
ଟିମ ଇଣ୍ଡିଆ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ଭାରତ ପ୍ରଦତ ୨୫୬ ରନର ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୧୯ ଓଭରରେ ୧୫୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଦଳ ପକ୍ଷରୁ ଟିମ ସେଇଫର୍ଟ ୫୨ ରନ ଓ ମିଚେଲ ସାଂଟେନର ୪୩ ରନ କରି କିଛିଟା ସଂଘର୍ଷ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ ଚାପରେ ବଶୀଭୂତ ହୋଇ ଭାରତ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା,ବରୁଣ ଚକ୍ରବର୍ତି ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ପୂର୍ବରୁ ଭାରତ ଟପ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ସହାୟତାରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୨୫୫ ରନ କରିଥିଲା । ଜବରଦସ୍ତ ଫର୍ମରେ ଥିବା ସଞ୍ଜୁ ସାମସନ ୪୬ ବଲରେ ୫ ଚୌକା ଓ ୮ ଛକା ସହାୟତାରେ ୮୯ ରନ କରିଥିଲେ । ଫର୍ମ ନେଇ ସମସ୍ୟାରେ ରହୁଥିବା ଅଭିଷେକ ଶର୍ମା କିନ୍ତୁ ନିରାଶ କରି ନ ଥିଲେ । ସେ ମଧ୍ୟ ୨୧ ବଲରୁ ୫୨ ରନ କରିଥିଲେ । ଅଭିଷେକ ଆଉଟ ହେବା ପରେ ଈଶାନ କିଶାନ ମଧ୍ୟ ୨୫ ବଲରୁ ୫୪ ରନ କରି ଭାରତର ରନ ବଢ଼ାଇବାରେ ଲାଗିଥିଲେ ।
ତେବେ ଏହା ପରେ ନାଟକୀୟ ଢ଼ଙ୍ଗରେ ୩ଟି ୱିକେଟ ହରାଇଥିଲା । ସଞ୍ଜୁ, ଈଶାନ ଓ ସୂର୍ଯ୍ୟକୁମାର ଯାଦବ ପ୍ୟାଭିଲିୟନ ଫେରି ଯାଇଥିଲେ । ସୂର୍ଯ୍ୟକୁମାର ଖାତା ଖୋଲିପାରି ନ ଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୮ରନ କରି ଆଉଟ ହୋଇଥିବା ବେଳେ ତିଳକ ବର୍ମା ୮ ଓ ଶିବମ ଦୁବେ ୨୬ ରନ(୮ବଲ) କରି ଅପରାଜିତ ରହିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜେମ୍ସ ନୀଶମ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ରଚୀନ ରବୀନ୍ଦ୍ର ଓ ମ୍ୟାଟ୍ଟ ହେନେରୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।