‘ଶହୀଦ ଦିବସ’ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
*ଶହୀଦଙ୍କ ଆଦର୍ଶରେ ‘ଗୋଲାମି ମାନସିକତା’ରୁ ମୁକ୍ତ ହେବା – ଧର୍ମେନ୍ଦ୍ର ପ୍ରଧାନ*
• ଶହୀଦ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ନେତାଜୀଙ୍କ ଠାରୁ ଆରମ୍ଭ କରି ଭଗତ ସିଂହ ଏବଂ ଶହୀଦ ବାଜି ରାଉତଙ୍କ ପର୍ଯ୍ୟନ୍ତ ସମସ୍ତ ବୀରଙ୍କ ତ୍ୟାଗ ଓ ତପସ୍ୟା ଆମ ଜାତୀୟ ଚେତନାର ଆଧାରଶିଳା
• ପୂର୍ବରୁ ଦେଶ ପାଇଁ ବଳିଦାନ ଦେବାର ସମୟ ଥିଲା, କିନ୍ତୁ ଆଜି ଦେଶକୁ ବିକଶିତ କରିବା ପାଇଁ ବଞ୍ଚିବାର ଆବଶ୍ୟକତା ଅଛି
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୩ ମାର୍ଚ୍ଚ ୨୦୨୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ‘ଶହୀଦ ଦିବସ’ ଅବସରରେ ନୂଆଦିଲ୍ଲୀ ଠାରେ ‘ଅଖିଳ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମୀ ପରିବାର କଲ୍ୟାଣ ପରିଷଦ’ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଭାରତ ମାତାର ଅମର ବୀର ସନ୍ତାନ ଶହୀଦ ଭଗତ ସିଂହ, ଶିବରାମ ରାଜଗୁରୁ ଓ ସୁଖଦେବ ଥାପଡ଼ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜି ଆମେ ୯୫ତମ ଶହୀଦ ଦିବସ ପାଳନ କରୁଛୁ । ଆଉ ୫ ବର୍ଷ ପରେ ଏହାର ଶତାବ୍ଦୀ ବର୍ଷ ଏବଂ ପ୍ରାୟ ୨୧ ବର୍ଷ ପରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳିତ ହେବ । ଭାରତର କୋଣ ଅନୁକୋଣରେ ସ୍ୱାଧୀନତା ସଂଗ୍ରାମର ସ୍ମୃତି ଗାଥା ଭରି ରହିଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଠାରୁ ଆରମ୍ଭ କରି ଭଗତ ସିଂହ ଏବଂ ଶହୀଦ ବାଜି ରାଉତଙ୍କ ପର୍ଯ୍ୟନ୍ତ ସମସ୍ତ ବୀରଙ୍କ ତ୍ୟାଗ ଓ ତପସ୍ୟା ଆମ ଜାତୀୟ ଚେତନାର ଆଧାରଶିଳା । ଆମେ ବାଜି ରାଉତଙ୍କ ଠାରୁ ରାଜଗୁରୁଙ୍କ ପର୍ଯ୍ୟନ୍ତ ସମସ୍ତ ଶହୀଦ ପରିବାରର ସଦସ୍ୟ, ଯାହା ୧୪୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ ।
ସେ ଆହୁରି କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ଇତାହାସ ପୃଷ୍ଠାରେ ଅନାଲୋଚିତ ନାୟକ ବା ସଂଗ୍ରାମୀମାନଙ୍କ ଅବଦାନକୁ ସମ୍ମାନିତ କରାଯାଉଛି । ୧୮୩୫ରେ ଟି.ବି. ମାକାଉଲେ ଲାଗୁ କରିଥିବା ଶିକ୍ଷା ପଦ୍ଧତି ଓ ଗୋଲାମି ମାନସିକତାରୁ ଦେଶକୁ ମୁକ୍ତ କରିବା ଆମର ମୂଳ ଦାୟିତ୍ୱ । ଭାରତର ଆତ୍ମା, ସଂସ୍କୃତି ଓ ସ୍ୱାଭିମାନକୁ ପୁନଃସ୍ଥାପିତ କରିବା ଦିଗରେ ‘ଅଖିଳ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମୀ ପରିବାର କଲ୍ୟାଣ ପରିଷଦ’ ସମେତ ସମସ୍ତେ ଦାୟିତ୍ୱ ନେବା ଉଚିତ୍ ।
ପୂର୍ବରୁ ଦେଶ ପାଇଁ ବଳିଦାନ ଦେବାର ସମୟ ଥିଲା, କିନ୍ତୁ ଆଜି ଦେଶ ପାଇଁ ବଞ୍ଚିବାର ଆବଶ୍ୟକତା ଅଛି । ଆମର ଲକ୍ଷ୍ୟ ହେଉଛି ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବା। ଏଥିପାଇଁ ପ୍ରତିଟି ମୁହୂର୍ତ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ସ୍ୱାଭିମାନ ବୃଦ୍ଧି, ସ୍ୱଦେଶୀ ଅର୍ଥନୀତିର ସୁଦୃଢ଼ୀକରଣ, ଚାଷୀଙ୍କ ଆୟ ବୃଦ୍ଧି, ମହିଳା ଓ ଯୁବବର୍ଗଙ୍କୁ ସମ୍ମାନ ଏବଂ ବଞ୍ଚିତଙ୍କ କଲ୍ୟାଣ ପାଇଁ ଆମକୁ ଦାୟିତ୍ୱ ନେବାକୁ ହେବ । ଶେଷରେ, ଶ୍ରୀ ପ୍ରଧାନ ‘ଅଖିଳ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମୀ ପରିବାର କଲ୍ୟାଣ ପରିଷଦ’କୁ ଏଭଳି ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସାଧୁବାଦ ଜଣାଇବା ସହ ଶହୀଦମାନଙ୍କ ସ୍ୱପ୍ନର ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।