ଲଦାଖବାସୀଙ୍କ ସ୍ବରକୁ ଚପାଇଦିଆଯାଉଛି: ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କହିଛନ୍ତି, ଲଦାଖବାସୀଙ୍କ ରାଜନୈତିକ ସ୍ବରକୁ ଚପାଇ ଦିଆଯାଉଛି। ତେଣୁ ଲଦାଖବାସୀଙ୍କ ସମସ୍ତ ଦାବିକୁ ସେ ପାର୍ଲାମେଣ୍ଟର ଆଗାମୀ ଅଧିବେଶନରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ସେହିପରି କେନ୍ଦ୍ର ସରକାର ଲଦାଖବାସୀଙ୍କୁ ଦେଇଥିବା ରୋଜଗାର ପ୍ରତିଶ୍ରୁତି ମିଥ୍ୟା ସାବ୍ୟସ୍ତ ହୋଇଛି ବୋଲି ଗାନ୍ଧୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଗତ ସପ୍ତାହରେ ଲଦାଖ ଗସ୍ତ କରିବା ସହ ପ୍ରତ୍ୟେକ କୋଣ ଅନୁକୋଣ ବୁଲିଥିଲି। ଏହି ଅବସରରେ ସେଠାକାର ଯୁବକ, ମା’ ଭଉଣୀ ଓ ଗରିବ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସେଠାରେ ଏମିତି କେତେଜଣ ନେତାଙ୍କ ସହ ସାକ୍ଷାତ ହୋଇଥିଲା ଯେଉଁମାନେ ନିଜ ‘ମନ୍‌ କୀ ବାତ୍‌’ କହିଥିଲେ।

ଚାଇନା ଭାରତର ହଜାର ହଜାର କି.ମି. ଜମିକୁ ଛଡ଼ାଇ ନେଇଥିବାବେଳେ ପ୍ରଧାନମନ୍ତ୍ରୀ ଏହା ଉପରେ ବର୍ତ୍ତମାନ ସୁଦ୍ଧା ମିଛ କହିଆସିଛନ୍ତି। ପ୍ରଧାନମନ୍ତ୍ରୀ କେତେ ସତ କହୁଛନ୍ତି ତାହା ଲଦାଖର ପ୍ରତ୍ୟେକ ଲୋକ ଜାଣିଛନ୍ତି ବୋଲି ରାହୁଲ କହିଛନ୍ତି। ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କଲାବେଳେ କେନ୍ଦ୍ର ସରକାର ଲଦାଖବାସୀଙ୍କୁ ରୋଜଗାର ଯୋଗାଇବା, ମୋବାଇଲ ସେବା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ମିଥ୍ୟା ସାବ୍ୟସ୍ତ ହୋଇଛି। ଅପରପକ୍ଷେ ରାହୁଲ ଶୁକ୍ରବାର ଲଦାଖର କାର୍‌ଗିଲ୍‌ ସ୍ମାରକୀସ୍ଥଳକୁ ଯାଇ କାର୍‌ଗିଲ୍‌ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave A Reply

Your email address will not be published.