ଆତଙ୍କ ବଢ଼ାଉଛି ଡେଙ୍ଗୁ : ୮ ଦିନରେ ୬ଶହ ଆକ୍ରାନ୍ତ

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି l ଗତ ୮ ଦିନରେ ୬ଶହ ଆକ୍ରାନ୍ତ ଚିହ୍ନଟ ହେଲେଣି। ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‌ସି ଯାହା ଯାହା ପ୍ରସ୍ତୁତି କରିଥିଲା ତାହା ସବୁ ଫେଲ୍‌ ମାରିଲାଣି। ଖାଲି ପ୍ରଚାର ପ୍ରସାର ପାଇଁ ଫଟୋ ଉଠାରେ ଏହି ଡେଙ୍ଗୁ ମୁକାବିଲା ଅଭିଯାନେ ସୀମିତ ରହିଛି। ଫଳରେ ଏହାର କୁପରିଣାମ ରାଜଧାନୀବାସୀ ଭୋଗୁଛନ୍ତି।

ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେଣି । ସ୍ଥିତି ସଙ୍ଗୀନ୍‌ ହେବା ପରେ ଆଜି କମିସନର ବିଜୟ ଅମୃତା କୁଲାଙ୍ଗେ ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରତ୍ୟେକ ଦିନ ‘ଘର ଘର ସମ୍ପର୍କ ଅଭିଯାନ’ କରିବା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଏହା ନିୟମିତ ହେଉନଥିବା ଜଣାପଡ଼ିଛି। ଏଣୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ନିୟମିତ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି।

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ସମୀକ୍ଷାରେ ଯେଉଁ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି, ସେଠାରେ ନିୟମିତ ଗୋଷ୍ଠୀ ସଚେତନତା କାର୍ଯ୍ୟ ଜାରି ରଖିବାକୁ କମିସନର କହିଛନ୍ତି। ଆଚାର୍ଯ୍ୟ ବିହାର ଅଞ୍ଚଳରେ ୧୧୬ ଆକ୍ରାନ୍ତ ଥିବା ବେଳେ ନୂଆପଲ୍ଲୀ ଅଞ୍ଚଳରେ ୧୪୬ ଆକ୍ରାନ୍ତ ରହିଛନ୍ତି। ଏହି ଅଞ୍ଚଳ ସମେତ ସହିଦ ନଗର, ପଟିଆ, ଓ ୟୁନିଟ-୯ ଅଞ୍ଚଳରେ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି। ବୈଠକରେ ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ, ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ ଚିକିତ୍ସା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ଡେଙ୍ଗୁ ଓ ପରିମଳକୁ ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ବଢ଼ିବାରେ ଲାଗିଛି। ଅଧିକାଂଶ ଅଞ୍ଚଳରୁ ବୁଦା କଟା ଯାଉନାହିଁ। କଞ୍ଜର୍ଭାନ୍‌ସି ଲେନ୍‌ରୁ ବାହାରୁଥିବା ଆବର୍ଜନା ଦୀର୍ଘ ଦିନ ଧରି ରାସ୍ତା ଉପ‌ରେ ଜମା ହୋଇ ରହୁଛି। ଅନେକ ଜାଗାରେ ସ୍ବେରେଜ୍‌ ଚାମ୍ବରରୁ ଆବର୍ଜନା ପାଣି ନିୟମିତ ଲିକ୍‌ ହୋଇ ରାସ୍ତାକଡ଼ରେ ଜମା ହୋଇ ରହୁଛି। ଫଳରେ ସନ୍ତସନ୍ତିଆ ପରିବେଶ ସୃଷ୍ଟି ହେଉଛି। ଆହୁରି ଆଶ୍ଚର୍ଯ୍ୟ କଥା ହେଉଛି, କେବଳ ଟ୍ବିଟିର୍‌ରେ ଅଭିଯୋଗ କଲେ ହିଁ ବିଏମ୍‌ସି ବାଧ୍ୟ ହୋଇ ସେହି ଅଭିଯୋଗକୁ ସମାଧାନ କରିବାକୁ କିଛିଟା ତତ୍ପରତା ଦେଖାଉଛି। ଅନ୍ୟ କୌଣସି ଫୋରମ୍‌ରେ ବା ମାଧ୍ୟମରେ ଅଭିଯୋଗ ସମାଧାନ ହେଉନଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.