୩ ଜଣ ବଡ ଭଉଣୀ, ଜଣେ ବଡ ଭାଇ ଓ ୩ ସାନ ଭଉଣୀ । ଏହି ମାନଙ୍କ ଭିତରେ ବିତିଛି ବଲିଉଡ ସେନ୍ସେସନ୍ କ୍ୟାଟ୍ରିନାଙ୍କ ଜୀବନ, ଯିଏ ଏମାନଙ୍କ ମଧ୍ୟରେ ମଝିଆଁ ଝିଅ । ପିଲାବେଳୁ ଆଠ ଆଠଟି ପିଲାଙ୍କ ଦାୟିତ୍ୱ ଏକାକୀ ସମ୍ଭାଳିଛନ୍ତି କ୍ୟାଟଙ୍କ ମା’ ।କ୍ୟାଟ୍ରିନା ଅତି ଛୋଟ ଥିଲେ ସେତେବେଳୁ ତାଙ୍କ ବାପା, ମା’ଙ୍କ ଭିତରେ ଛାଡପତ୍ର ହୋଇଯାଇଥିଲା । କିନ୍ତୁ ହାର ମାନିନଥିଲେ ତାଙ୍କ ମା’ । ମାନସିକ ଦୁଶ୍ଚିନ୍ତା ଭିତରେ ଥାଇ ବି ସବୁ ପିଲାଙ୍କୁ ମଣିଷ କରିବାକୁ ଅଣ୍ଟା ଭିଡିଲେ । ସମସ୍ତଙ୍କୁ ପାଳିପୋଷି ନିଜ ଗୋଡରେ ଛିଡା ହେବାକୁ ସମର୍ଥ କଲେ । ବାପାଙ୍କ ବିନା ବିତିଛି କ୍ୟାଟଙ୍କ ପିଲାବେଳ ।
ଏବେ ଅଭିନେତା ଭିକ୍କି କୌଶଲଙ୍କ ସହ କ୍ୟାଟ୍ରିନାଙ୍କ ବିବାହକୁ ନେଇ ଚର୍ଚ୍ଚା ଭିତରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ରୋଚକ କଥା ସାମ୍ନାକୁ ଆସୁଛି । କ୍ୟାଟ୍ରିନା ଆଠ ଭାଇ ଭଉଣୀଙ୍କ ମଧ୍ୟରେ ମଝିଆଁ । ତାଙ୍କ ଜନ୍ମ ୧୯୮୩ ମସିହା ଜୁଲାଇ ୧୬ ତାରିଖରେ ହଂକଂରେ ହୋଇଥିଲା । ବାପା ମୋହମ୍ମଦ କୈଫ୍ ଜଣେ କାଶ୍ମୀରୀ ହୋଇଥିବାବେଳେ ବ୍ରିଟେନରେ ଜଣେ ଭଲ ବ୍ୟବସାୟ ଥିଲେ । ମା’ ସୁଜେନ୍ ଟୋରକୋଟ୍ ଜଣେ ଇଂଲିଶ ଲୟର ଓ ଚ୍ୟାରିଟି ୱାର୍କର ଥିଲେ । ତାଙ୍କର ୩ ବଡ ଭଉଣୀ ଷ୍ଟିଫେନ୍, କ୍ରିଷ୍ଟିନ୍ ଓ ନତାଶା, ବଡ ଭାଇ ମାଇକେଲ ଥିବାବେଳେ ୩ ସାନ ଭଉଣୀ ମେଲିସା , ସୋନିୟା ଓ ଇଜାବେଲ ଅଛନ୍ତି ।ଆଗକୁ ପଢନ୍ତୁ
ମା’ଓ ସାନ ଭଉଣୀଙ୍କ ସହ କ୍ୟାଟ୍ରିନା
କ୍ୟାଟ୍ରିନା ଅତି ଛୋଟ ଥିବାବେେଳେ ତାଙ୍କ ବାପା, ମାଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା । ଏପରି ସ୍ଥିତିରେ ମା’ ଇଜାବେଲ ଏକାକୀ ୮ଟି ପିଲାଙ୍କ ଦାୟିତ୍ୱ ନେଇଥିଲେ । ନିଜ ପିଲାମାନଙ୍କୁ କେବେ ବାପାଙ୍କ ସ୍ନେହର ଅଭାବର ଅନୁଭବ କରିବାକୁ ଦେଇନାହାଁନ୍ତି । କେବଳ ନିଜ ପିଲାମାନଙ୍କ ପାଇଁ ନୁହେଁ ବରଂ ସମାଜର ଅଭାବୀ ଲୋକଙ୍କ ସେବାରେ ମା’ ନିଜ ଜୀବନ ସମର୍ପଣ କରିଥିବା ଏକ ସାକ୍ଷାତକାରରେ କହିଛନ୍ତି କ୍ୟାଟ୍ରିନା । କ୍ୟାଟ୍ରିନାଙ୍କ ସ୍କୁଲିଙ୍ଗ ବି ଅନେକ ରୋମାଂଚରେ ଭରପୁର । ଅଧିକାଂଶ ସମୟ ସ୍କୁଲ ଯାଇପାରୁନଥିଲେ । ମା’ଙ୍କୁ ନିଜ କାମକୁ ନେଇ ବିଭିନ୍ନ ଦେଶ ବଦଳାଇବାକୁ ପଡୁଥିବାରୁ ସ୍କୁଲ ଯାଇନପାରି ଘରେ ହିଁ ପଢୁଥିଲେ । କ୍ୟାଟ୍ରିନାଙ୍କ ସମେତ ଭାଇଭଉଣୀଙ୍କ ପାଠପଢା ପାଇଁ ମା’ ଏକାଧିକ ଟ୍ୟୁଟର ଯୋଗାଇଥିଲେ । ହଂକଂ ସମେତ ଚୀନ, ଜାପାନ, ଫ୍ରାନ୍ସ, ସ୍ୱୁଜରଲ୍ୟାଣ୍ଡ ଓ ଅନେକ ୟୁରୋପୀୟ ଦେଶରେ ବିତିଛି କ୍ୟାଟ୍ରିନାଙ୍କ ଜୀବନ ।
ଭାରତ ଆସିବା ପରେ ନିଜ ସାଙ୍ଗିଆ ବଦଳାଇଦେଇଥିଲେ କ୍ୟାଟ୍ । ପୂର୍ବରୁ କ୍ୟାଟ୍ରିନା ଟୋରକୋଟ୍ ଲେଖାଯାଉଥିବାବେଳେ ଭାରତ ଆସିବା ପରେ ତାହା କ୍ୟାଟ୍ରିନା କୈଫ୍ ହୋଇଯାଇଥିଲା । କାରଣ ପୂର୍ବ ଟାଇଟଲ ଅପେକ୍ଷା କୈଫ୍ କହିବାକୁ ପ୍ରଶଂସକଙ୍କ ପାଇଁ ସହଜ ଥିଲା । ୨୦୦୩ରେ ବଲିଉଡରେ ଡେବ୍ୟୁ କରିବା ପରେ ଭାରତରେ ନିଜ ସ୍ଥାନ ବଜାୟ ରଖିଛନ୍ତି କ୍ୟାଟ୍ । ବଡ ବଡ ଷ୍ଟାରଙ୍କ ସହ ଅଭିନୟ କରିସାରିଛନ୍ତି । ଏବେ ଆଉ ତାଙ୍କୁ ନିଜ ପରିଚୟ ସୃଷ୍ଟି କରିବା ପାଇଁ କାହାରି ସାହାଯ୍ୟ ଲୋଡାନାହିଁ ।
Comments are closed.