ଭୁବନେଶ୍ୱର: ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ବଡ଼ ଉତ୍ସବ ମନାଇଛି ରାଜ୍ୟ ବିଜେପି। ଭୁବନେଶ୍ବରସ୍ଥିତ ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି 70 କୋଟି ମହିଳାଙ୍କ ପାଇଁ ସମର୍ପିତ ମୋଦି ସରକାର। ଗାଁରେ ଗାଁରେ ନାରୀ ଜାଗରଣ ପାଇଁ, ମୋଦିଙ୍କ ମହିଳା ସଶକ୍ତିକଣ ବାର୍ତ୍ତା ପହଞ୍ଚାଇବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର। ଶୁକ୍ରବାର ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ନାରୀ ଶକ୍ତି ବନ୍ଦନ ବିଧେୟକ ପାରିତ ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଦଳ ପକ୍ଷରୁ ଆୟୋଜନ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକମ। ଏଥିରେ ମହିଳାମାନଙ୍କୁ ମୁଣ୍ଡିଆମାରି ପ୍ରଧାନମନ୍ତ୍ରୀ ଯେଉଁ ସମ୍ମାନ ପ୍ରଦର୍ଶନ କରିଥିଲେ ତାହା ସାରା ଦେଶବାସୀଙ୍କୁ ଅଭିଭୁତ କରିଥିଲା। ଆଜି ଥିଲା ଓଡ଼ିଶା ପାଳି ଐତିହାସିକ ନାରୀ ଶକ୍ତି ବନ୍ଦ ବିଧେୟକ ସଂସଦରେ ପାରିତ ପରେ ଓଡ଼ିଶା ବିଜେପି କରିଥିଲା ବଡ଼ ସେଲିବ୍ରେସନ। ଦଳର ରାଜ୍ୟ କାର୍ଯ୍ୟାଳୟରେ ଏଥିପାଇଁ ହୋଇଥିଲା ବଡ଼ ଆୟୋଜନ। ବାଜାବଜାଇ ଖୁସି ମନାଇଥିଲେ ବିଜେପି କର୍ମୀ।26 ବର୍ଷ ଅପେକ୍ଷାର ଅନ୍ତ ଘଟାଇ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣକୁ ସଂବିଧାନ ସଂଶୋଧନ ମାଧ୍ୟମରେ ସୁନିଶ୍ଚିତ କରାଇଛନ୍ତି ମୋଦି ସରକାର। ଦେଶର 70 କୋଟି ମହିଳାଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଏହି ସମ୍ମାନର କୃତଜ୍ଞତା ଜଣାଇଥିଲେ ବିଜେପି କର୍ମୀ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଫୁଲ ମାଳକୁ ନିଜେ ଗ୍ରହଣ ନକରି ଦଳର ମହିଳାନେତ୍ରୀଙ୍କୁ ସମର୍ପି ଦେବା ଦୃଶ୍ୟଥିଲା ମହିଳାଙ୍କ ପାଇଁ ସମ୍ମାନର ଆଉ ଏକ ଶ୍ରେଷ୍ଠ ନିଦର୍ଶନ। ଏହି ଅବସରରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ନେଇ ମୋଦି ସରକାରଙ୍କ ସଫଳତାକୁ ଗାଁ ଗାଁରେ ପହଞ୍ଚାଇବା କୁ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। 2014 ମସିହା ମେ ଶେଷ ସପ୍ତାହରେ ମୋଦି ଏନଡିଏର ନେତା ନିର୍ବାଚିତ ହେବା ବେଳେ କହିଥିଲେ, ମହିଳାଙ୍କ ପାଇଁ ସମର୍ପିତ ହେବ ମୋଦି ସରକାର। ଶୌଚାଳୟ ହେଉ, କିମ୍ବା ଉଜ୍ଜ୍ବଳା ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ଡର କିମ୍ବା ମହିଳା ସ୍ବଂୟସହାୟିକା ଗୋଷ୍ଠୀଙ୍କୁ କମ୍ ସୁଧରେ ଋଣ, ଦେଶର ୭୦ କୋଟି ମହିଳାଙ୍କ ସ୍ବାର୍ଥକୁ ମୋଦି ସରକାର ସର୍ବଦା ଗୁରୁତ୍ବ ଦେଇ ଆସିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ମହିଳା ମାଷ୍ଟର ଷ୍ଟ୍ରୋକ୍ ଓଡ଼ିଶାରେ ବିଜେଡିର ମହିଳା ସମର୍ଥନର ଦୁର୍ଗକୁ ଦୋହଲାଇ ଦେବନି ତ ? ସବୁବେଳେ ମହିଳାଙ୍କ ବଡ ସମର୍ଥନ ଥିବା ଦାବି କରି ଆସୁଛି ବିଜେଡି। ଯଦିଓ ଏନେଇ ଆତ୍ମବିଶ୍ବାସ ଦେଖାଇଆସୁଛି ବିଜେଡି କିନ୍ତୁ ନାରୀଶକ୍ତି ବନ୍ଦନ ବିଧେୟକକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଯେଉଁଭଳି ମୋଦି ସରକାରଙ୍କ ପ୍ରତି ମହିଳାଙ୍କ ବ୍ୟାପକ ସମର୍ଥନ ଦେଖିବାକୁ ମିଳିଛି ତାକୁ ନେଇ କେଉଁଠି ନା କେଉଁଠି ବିଜେଡି ମନରେ ଭୟ ରହିଛି। ଚର୍ଚ୍ଚାରେ ନଥିବା ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି କରିବା ବିଜେଡିର ଏହି ଭୟକୁ ଦର୍ଶାଉନି କି।