ସ୍ୱାସ୍ଥ୍ୟକୁ ହତ୍ୟା’ କରୁଛି ନଡ଼ା: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଭୟଙ୍କର ଭାବେ ବଢ଼ି ଚାଲିଛି ଦିଲ୍ଲୀ ବାୟୁ ପ୍ରଦୂଷଣ ମାତ୍ରା। ପଞ୍ଜାବ ଏବଂ ହରିୟାଣାରେ କୃଷକମାନେ ନଡ଼ା ଜାଳିବା ଯୋଗୁଁ ଏହା ବଢ଼ୁଥିବା କୁହାଯାଉଛି। ପଡୋଶୀ ରାଜ୍ୟ ପଞ୍ଜାବ ଏବଂ ହରିୟାଣାରେ ଫସଲ ଅବଶିଷ୍ଟାଂଶ ପୋଡିଯିବା ପ୍ରତ୍ୟେକ ବର୍ଷ ଶୀତ ଦିନେ ଦିଲ୍ଲୀର ବାୟୁ ପ୍ରଦୂଷଣରେ ବୃଦ୍ଧି ପାଇବାରେ ଏକ ପ୍ରମୁଖ କାରଣ। ଏନେଇ ପଞ୍ଜାବ ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ।

କୋର୍ଟ କହିଛନ୍ତି, ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ଏକ ରାଜନୈତିକ ଯୁଦ୍ଧରେ ପରିଣତ ହୋଇପାରିବ ନାହିଁ। ବର୍ତ୍ତମାନ ଏହି ବାୟୁ ପ୍ରଦୂଷଣ ‘ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟା’ର କାରଣ ପାଲଟିଛି। ନଡ଼ା ଜଳିବା ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଞ୍ଜାବ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ପଞ୍ଜାବ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓକିଲଙ୍କୁ କୋର୍ଟ କହିଛନ୍ତି, ‘ଶୀତ ଦିନ ଆସିଲେ ଚାଷୀମାନେ ନଡା ଜାଳନ୍ତି। ଯାହା ଦ୍ୱାରା ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଏ। ଆମେ ଏହା ବନ୍ଦ କରିବାକୁ ଚାହୁଁଛୁ। ଆପଣ ଏହା କିପରି ବନ୍ଦ କରିବେ ତାହା ଆପଣଙ୍କର କାମ। କିନ୍ତୁ ଏହାକୁ ବନ୍ଦ କରିବାକୁ ହେବ ଏବଂ ତୁରନ୍ତ କିଛି ପଦକ୍ଷେପ ନେବାକୁ ପଡିବ।’

ଆସନ୍ତା ଶୁକ୍ରବାର ଦିନ ଏହି ମାମଲାର ପରବର୍ତୀ ଶୁଣାଣି ହେବ। ସୂଚନା ଥାଉକି ଚାଷୀମାନେ ନଡ଼ା ଜାଳିବା ଯୋଗୁଁ ବାୟୁ ପ୍ରଦୂଷଣ ବଢ଼ୁଥିବା କୁହାଯାଉଛି। ଏଥିପାଇଁ ସରକାର ନଡ଼ା ଜାଳିବାକୁ ବାରଣ କରିଛନ୍ତି। ନଡ଼ା ନଜାଳିବାକୁ ଘର ଘର ବୁଲି କୃଷକମାନଙ୍କୁ ବୁଝାଉଛନ୍ତି ସରକାରୀ ଅଫିସର। ଅନ୍ୟପଟେ ଦିଲ୍ଲୀର ବାୟୁ ପ୍ରଦୂଷଣରେ ଅନ୍ୟ ଏକ ପ୍ରମୁଖ ଦିଗ ଯାନବାହାନ ଧୂଆଁ ନିର୍ଗମନ ଉପରେ ମଧ୍ୟ ଦୃଷ୍ଟି ଦେବାକୁ ସରକାରଙ୍କୁ କୋର୍ଟ କହିଛନ୍ତି।

Leave A Reply

Your email address will not be published.