ଓଡ଼ିଶାର ବିକାଶ ଆମର ଲକ୍ଷ ! ଜନତାଙ୍କ ଉପରେ ଆମର ଭରଷା ଅଛି ..

ପୂର୍ବରୁ ଓଡ଼ିଆ ନବଜାଗରଣ ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉଦ୍ଦେଶ୍ୟରେ ‘ଉତ୍କଳ ସମ୍ମିଳନୀ’ ନେତୃତ୍ୱରେ ବହୁ ଓଡ଼ିଆପ୍ରାଣ ସଂଗଠନ ତଥା ବ୍ୟକ୍ତିତ୍ବ ଆପ୍ରାଣ ଉଦ୍ୟମରତ ଥିଲେ। କିନ୍ତୁ ଦେଶ ସ୍ୱାଧୀନତାର ଅଳ୍ପ କିଛି ବର୍ଷ ଭିତରେ ‘ଉତ୍କଳ ସମ୍ମିଳନୀ’ ଅପେକ୍ଷାକୃତ ପ୍ରଭାବଶୂନ୍ୟ ହୋଇଗଲା। ଏହାପରେ ଓଡ଼ିଆଙ୍କ ସ୍ବାଭିମାନ ପାଇଁ ଲଢ଼େଇ କରିବାକୁ ଆଉ ସେମିତି କିଛି ମାଧ୍ୟମ ପ୍ରାୟତଃ ନଥୁଲା। ଓଡ଼ିଶା ବାହାରେ ଓଡ଼ିଆଙ୍କ ପରିଚୟ ଖୋଜିବସିଲେ ସବୁବେଳେ ନିରାଶ ହେବାକୁ ପଡୁଥିଲା । ଓଡ଼ିଶା କହିଲେ ସମସ୍ତେ କେବଳ ଦାରିଦ୍ର୍ୟ, ଦୁର୍ଦ୍ଦଶା, ଦାଦନ ଓ ଦୁର୍ବିପାକକୁ ହିଁ ବୁଝୁଥିଲେ ।

ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଏଭଳି ଛବି ପ୍ରତ୍ୟେକ ଓଡ଼ିଆଙ୍କୁ ଆଘାତ ଦେଉଥିଲା । କିନ୍ତୁ ଏଇ କିଛି ବର୍ଷ ହେବ ଓଡ଼ିଶାରେ ଏମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି ଯାହାକୁ ଲକ୍ଷ୍ୟକଲେ ଯେକେହି ବି ଠଉରାଇ ପାରିବେ ଯେ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଏକ ଭିନ୍ନ ପରିଚୟ ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାପ୍ରୀତିର ଝଲକ ଏସବୁ କାର୍ଯ୍ୟକ୍ରମରେ ଦେଖ‌ିବାକୁ ମିଳୁଛି। ମୋଦିଜୀ ତାଙ୍କର ପୂର୍ବୋଦୟ ପରିକଳ୍ପନାର କେନ୍ଦ୍ରରେ ଓଡ଼ିଶାକୁ ରଖୁଛତି ବୋଲି ଏଥୁରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ଦିଲ୍ଲୀ ବିଶ୍ଵବିଦ୍ୟାଳୟ, ଛତିଶଗଡ଼ର ଗୁରୁ ଘାସିଦାସ ବିଶ୍ଵବିଦ୍ୟାଳୟ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (କୋରାପୁଟ)ରେ ସନ୍ଥକବି ଭୀମ ଭୋଇ ଚେୟାର ପ୍ରତିଷ୍ଠା ହେବା ଆମ ସମସ୍ତଙ୍କ ପାଇଁ ଗର୍ବର କଥା। ଏଇ ନିକଟରେ ଭୁବନେଶ୍ଵରରେ ଭୀମ ଭୋଇଙ୍କ ବିଚାର ଏବଂ ମହିମା ଧର୍ମର ମାହାତ୍ମ୍ୟ ଉପରେ ଏକ ଆନ୍ତର୍ଜାତିକ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଛି। ଏ ସମ୍ମିଳନୀ ମାଧ୍ୟମରେ ମହିମା ଧର୍ମରେ ନିହିତ ଓଡ଼ିଆ ଜୀବନ-ଦର୍ଶନର ମୌଳିକ ଉପାଦାନଗୁଡ଼ିକୁ ଆଜି ଜାତୀୟ ତଥା ଅନ୍ତର୍ଜାତୀୟ ଗବେଷକ ଏବଂ ବୁଦ୍ଧିଜୀବୀ ମହଲରେ ପରିଚିତି ଓ ଆଦୃତି ମିଳିଛି। ଅଧିକରୁ ଅଧିକ ଭାରତୀୟ ଏବେ ମହିମା ଦର୍ଶନ ବିଷୟରେ ଅବଗତ ହେଉଛନ୍ତି ।

ଭାରତ ସରକାରଙ୍କ ‘ଅଦ୍ୟୋଦୟ’ ଏବଂ ଭୀମ ଭୋଇଙ୍କ ‘ଜଗତ ଉଦ୍ଧାର ମଧ୍ୟରେ କି ଅଦ୍ଭୁତ ସାମଞ୍ଜସ୍ୟ ! ଏହା ହିଁ ଉତ୍କଳୀୟ ନେତା ଓ ଜନତାଙ୍କ ବିଶ୍ୱଦୃଷ୍ଟି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଭାରତ ମିଶନ କ୍ଷେତ୍ରରେ ଲକ୍ଷ୍ମୀପୁରାଣର ଏହି ବାର୍ଭା ସ୍ପଷ୍ଟ ପ୍ରତିଫଳିତ ହୋଇଛି। ପ୍ରତି ଓଡ଼ିଆଙ୍କ ପାଇଁ ଏହା ଗୌରବର କ‌ଥା । ସେହିପରି ସାମାଜିକ ନ୍ୟାୟ ଏବଂ ଗରିବ କଲ୍ୟାଣ ମଧ୍ୟ ଲକ୍ଷ୍ମୀପୁରାଣର ଆଉ ଦୁଇଟି ପ୍ରମୁଖ ବାର୍ଭା । ‘ଅନ୍ନର ମହତ୍ତ୍ବ’ ଓ ‘ଅନ୍ନ ଉପରେ ସଭିଙ୍କ ଅଧିକାର’ ହିଁ ଏହି ଦୁଇ ବାର୍ଭାର ସାର, ଯାହା ଭାରତ ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ ଯୋଜନାରେ ପ୍ରତିଫଳିତ ହେଉଅଛି । ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ କେନ୍ଦ୍ରୀୟ ସଂସ୍କୃତି ବିଶ୍ଵବିଦ୍ୟାଳୟର ପୁରୀ ସ୍ଥିତ ସଦାଶିବ କ୍ୟାମ୍ପସରେ ଲକ୍ଷ୍ମୀପୁରାଣର ସଂସ୍କୃତ ସଂସ୍କରଣ ଉନ୍ମୋଚିତ ହେବା ସାଙ୍ଗକୁ ଏକ ଆନ୍ତର୍ଜାତିକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଛି। ପ୍ରଥମଥର ପାଇଁ ଏଭଳି ଏକ ସମାରୋହର ଆୟୋଜନ ଫଳରେ ମଧ୍ୟଯୁଗୀୟ ଓଡ଼ିଆ କୃତିକୁ ଜାତୀୟ ତଥା ଅନ୍ତର୍ଜାତୀୟ ପରିଚିତି ମିଳିପାରିଛି।

ତେବେ ଓଡ଼ିଶାର ଅତୀତ ଗୌରବର ପୁନଃ ଆବିଷ୍କାର ସାଙ୍ଗକୁ ଭବିଷ୍ୟତ ଓଡ଼ିଶାକୁ ମଧ୍ଯ ରୂପ ଦେବାକୁ ପଡ଼ିବ। ଏଥିପାଇଁ ବିଶ୍ୱସ୍ତରରେ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ତିଆରିବାକୁ ପଡ଼ିବ। ଅର୍ଥାତ୍, ଓଡ଼ିଶାର ରି-ବ୍ରାଣ୍ଡିଂ କରିବାକୁ ହେବ। ଏ ଦିଗରେ ଓଡ଼ିଶାର ନୂତନ ପିଢ଼ିକୁ ବିଶ୍ଵସ୍ତରୀୟ ଶିକ୍ଷା ଓ ଦକ୍ଷତା ତାଲିମ ପ୍ରଦାନର ଯଥେଷ୍ଟ ଆବଶ୍ୟକତା ରହିଛି। ତାହେଲେ ଯାଇ ଆମ ଯୁବପିଢ଼ି ଆଗାମୀ ଦଶନ୍ଧିଗୁଡ଼ିକରେ ବୈଶ୍ୱକ ନେତୃତ୍ବର ଅଂଶୀଦାର ହେବା ପାଇଁ ସକ୍ଷମ ହୋଇପାରିବେ। ଏହାକୁ ଦୃଷ୍ଟିରେ ରଖ୍ ତୃଣମୂଳ ସ୍ତରରୁ ଓଡ଼ିଶାରେ ଗୁଣାତ୍ମକ ଏବଂ ଉଚ୍ଚମାନର ଶିକ୍ଷା ଉପଲବ୍ଧ କରିବା ଲକ୍ଷ୍ୟରେ ମୋଦି ସରକାରଙ୍କ ତତ୍ତ୍ୱାବଧାନରେ ପି.ଏମ୍-ଶ୍ରୀ ସ୍କୁଲର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟର ରୂପାନ୍ତରଣ ହେବା ସହ ଓଡ଼ିଶାର ପ୍ରତ୍ୟେକ ବ୍ଳକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏଁ ସ୍କୁଲକୁ ପି.ଏମ୍-ଶ୍ରୀ ସ୍କୁଲ ଭାବେ ବିକଶିତ କରା‌ଯିବାର ଲକ୍ଷ୍ୟ ମଧ୍ୟ ରଖୁଛତି କେନ୍ଦ୍ର ସରକାର । ଏ ଯୋଜନାରେ ସ୍କୁଲପିଛା ୨କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନର ବ୍ୟବସ୍ଥା ରହିଛି, ଯାହା ଓଡ଼ିଶାର ଶିକ୍ଷା ଭିଭିଭୂମିରେ ଆଶାତୀତ ପରିବର୍ତ୍ତନ ଆଣିବ । ଏହା ସାଙ୍ଗକୁ ଓଡ଼ିଶାରେ ଦକ୍ଷତା ପ୍ରଶିକ୍ଷଣର ଭିଭିଭୂମିକୁ ମଜଭୁତ କରିବା ନିମନ୍ତେ ଜଟଣୀ ଠାରେ ନ୍ୟାସନାଲ ସ୍କୁଲ୍ ଟ୍ରେନିଙ୍ଗ୍ ଇନଷ୍ଟିଚ୍ୟୁଟର ଶୁଭାରମ୍ଭ କରାଯାଇଛି, ଯାହା ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଓ ସାଧାରଣ ବର୍ଗର ପିଲାଙ୍କ ପାଇଁ ଆତ୍ମନିର୍ଭରଶୀଳତାର ଗୁରୁକୂଳ ଭାବେ କାର୍ଯ୍ୟ କରିବ। ଓଡ଼ିଶାରେ ଶିକ୍ଷା ଓ ଦକ୍ଷତାର ପ୍ରଭୂତ ବିକାଶ ସାଙ୍ଗକୁ ଓଡ଼ିଆ ଭାଷାରେ ଉଚ୍ଚତର ଗବେଷଣାକୁ ପ୍ରୋତ୍ସାହନ ଦେବାର ଏକ ନୂଆ ଅଧ୍ୟାୟ ମଧ୍ୟ ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ଵରରେ ପୂର୍ବାଞ୍ଚଳ ଭାଷା କେନ୍ଦ୍ରର ନବକଳେବର ଏହାର ଏକ ବଳିଷ୍ଠ ଉଦାହରଣ । ସି.ଆଇ.ଆଇ.ଏଲ, ମହୀଶୂର ଏବଂ ଏନ.ସି.ଇ.ଆର.ଟି ମଧ୍ୟରେ ନିକଟରେ ସ୍ବାକ୍ଷରିତ ହୋଇଥିବା ବୁଝାମଣାପତ୍ର ଓଡ଼ିଆ ଭାଷାକୁ ଉଚ୍ଚତର ଗବେଷଣାର ଭାଷା ଭାବରେ ଏକ ନୂଆ ପରିଚୟ ଆଣିଦେବ। ଏହାଦ୍ୱାରା ଓଡ଼ିଆ ଭାଷାର ଯେଉଁ ଶ୍ରୀବୃଦ୍ଧି ସାଧୂତ ହେବ, ତାହା ଓଡ଼ିଆ ଭାଷାଭାଷୀ ବୁଦ୍ଧିଜୀବୀ ଓ ଗବେଷକମାନଙ୍କ ପାଇଁ ଅପାର ସମ୍ଭାବନା ଆଣିଦେବ।

ଆଗାମୀ ଦିନଗୁଡ଼ିକରେ ଓଡ଼ିଆ ଭାଷାକୁ ଆହୁରି କ୍ରିୟାଶୀଳ ଓ ବ୍ୟବହାର୍ଯ୍ୟ କରିବା ପାଇଁ ଭାରତ ସରକାରଙ୍କ ଦ୍ବାରା ସ୍ଥାପିତ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଭୁବନେଶ୍ଵରର ମଧ୍ୟ ଏକ ଗୁରୁତ୍ବପୂର୍ଣ ଭୂମିକା ରହିବ। ଶିକ୍ଷା ଓ ଗବେଷଣାର ପେଣ୍ଠଭାବେ ଓଡ଼ିଶାକୁ ପୁନଃପ୍ରତିଷ୍ଠିତ କରିବା ଦିଗରେ ଏସବୁ ଅନୁଷ୍ଠାନ ବିଶେଷ ସହାୟକ ହେବେ। ସୁଖର କଥା, ଏ ସମସ୍ତ ବିଷୟକୁ ହୃଦୟଙ୍ଗମ କରି କେବଳ ଶାସ୍ତ୍ରୀୟ ମାନ୍ୟତାରେ ସନ୍ତୁଷ୍ଟ ନରହି ବରଂ ଓଡ଼ିଆ ଭାଷାକୁ ଓଡ଼ିଶାର ପ୍ରତିଟି କ୍ଷେତ୍ରରେ ଯୋଗାଯୋଗ ଓ କାରବାରର ଭାଷାଭାବେ ପ୍ରତିଷ୍ଠା କରିବା ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଭାଷାର ବିକାଶକୁ ଆୟୁଧ କରିବାକୁ ସେ ଏକପ୍ରକାର ମନସ୍ଥ କରିସାରିଛନ୍ତି। ତାଙ୍କରି ପରିକଳ୍ପନାରେ ପ୍ରଥମ କରି ଆମ ରାଜ୍ୟରେ ଏକ ‘ଓଡ଼ିଶା ଗବେଷଣା କେନ୍ଦ୍ର’ ପ୍ରତିଷ୍ଠା ହୋଇଛି । ଓଡ଼ିଶାର ଏମିତି କୌଣସି ଦିଗ ବା କ୍ଷେତ୍ର ନାହିଁ ଯାହା ଏହି ଗବେଷଣା କେନ୍ଦ୍ରର ପରିଧ୍ ଭିତରକୁ ଆସିନାହିଁ । ଆମ କଳା, ସଂସ୍କୃତି, ପ୍ରତ୍ନତତ୍ତ୍ଵ, ପରମ୍ପରା ଓ ସାହିତ୍ୟ, ସମାଜ ବିଜ୍ଞାନ, ମାନବ ବିଜ୍ଞାନ, ରାଜନୀତି, ଜ୍ୟୋତିର୍ବିଜ୍ଞାନ, ଗଣିତ ଓ ଜ୍ୟାମିତି, ପ୍ରାକୃତିକ ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ବାଣିଜ୍ୟ, ବ୍ୟବସାୟ, ଶିଳ୍ପାୟନ ଆଦି ସାଙ୍ଗକୁ ଓଡ଼ିଆ ଜନଜୀବନ, ଚାଲିଚଳଣି, ଖାଦ୍ୟପେୟ, ପର୍ବପର୍ବାଣି ଆଦି ବିଭିନ୍ନ ବିଷୟରେ ବ୍ୟାପକ ଗବେଷଣା କରିବ ଏବଂ ଆଗାମୀ ଦୁଇ ଦଶନ୍ଧି ଧରି ଓଡ଼ିଶାର ବିକାଶ ତଥା ଓଡ଼ିଆଙ୍କ ବିକାଶ ପାଇଁ ଏକ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରିବ ଏହି କେନ୍ଦ୍ର। ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର) ଅଧୀନରେ ଏହି କେନ୍ଦ୍ରଟି ଆରମ୍ଭ ହୋଇଛି ଏବଂ ଏଥିପାଇଁ ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ) ଡିଭିଜନ, ଆଇସିଏସଏସଆର, ଆଇଆଇଏମ୍ ସମ୍ବଲପୁର, ଆଇଆଇଟି ଖଡ଼ଗପୁର ଏବଂ ଆଇଆଇଟି ଭୁବନେଶ୍ଵର ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ଓଡ଼ିଶା ଭଳି ଏକ ରାଜ୍ୟ ପାଇଁ ଏକ ଆମୂଳଚୂଳ ପରିବର୍ତ୍ତନ କେତେ ଜରୁରି, ତାହା ଆଜି କାହାକୁ ଅବୁଝା ହୋଇ ରହିନାହିଁ । ଏହି ପରିବର୍ତ୍ତନର ପଦଧ୍ଵନି ଶୁଭିଥୁଲା ୨୦୧୪ ମସିହାରୁ, ଯେତେବେଳେ ମୋଦିଜୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କଲେ । ସେହିଦିନଠାରୁ ଓଡ଼ିଶାର ସାମଗ୍ରିକ ଛବି କ୍ରମାଗତ ବଦଳିବାରେ ଲାଗିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ଭାବେ ଦାୟିତ୍ଵ ନେବା ଦିନଠାରୁ ଧର୍ମେନ୍ଦ୍ରବାବୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ଏହି ଓଡ଼ିଶାକୈନ୍ଦ୍ରିକ ବିଚାରକୁ ରୂପ ଦେବାରେ ବରାବର ଉଦ୍ୟମ ଚଳାଇ ଆସିଛନ୍ତି। ସେହିପରି ଓଡ଼ିଆ ଅସ୍ମିତାକୁ ମଧ୍ଯ ଏକ ନୂଆ ସଞ୍ଜିବନୀ ମିଳିଯାଇଛି, ଯାହା ଓଡ଼ିଆ ଜାତୀୟ ଜୀବନରେ ଏକ ନୂଆ ଆଶା ସଞ୍ଚାର କଲାଣି। ସତେଯେମିତି ପୂର୍ବୋଦୟର ପାହାରି ତାରା ଉଇଁବା ଦେଖୁ ଆମ ଜାତି ନନ୍ଦିଘୋଷ ଗଡ଼ିବାକୁ ସଜ ହେଲାଣି ।

Leave A Reply

Your email address will not be published.