ବଦଳିଲା ଓଟିଇଟି ନିୟମ । ଏଣିକି ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ୍ ସାର୍ଟିଫିକେଟ୍ ଆଜୀବନ ବୈଧତା ରହିବ । ଗୋଟିଏ ଥର ପାସ୍ କଲେ ଆଉ ଦେବାକୁ ପଡ଼ିବନି ବାରମ୍ବାର ପରୀକ୍ଷା । ଏନେଇ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ ଶିକ୍ଷକ ନିଯୁକ୍ତି ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ୭ବର୍ଷ ପାଇଁ ବୈଧ ରହୁଥିଲା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଶିକ୍ଷକ ଚାକିରି ଆଶାୟୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏଣିକି ଥରେ OTET ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଯେବେ ବି ଶିକ୍ଷକ ନିଯୁକ୍ତି ବାହାରିବ ସେମାନେ ଆବେଦନ କରି ପାରିବେ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସଂଖ୍ୟାଧିକ ଶିକ୍ଷକ ଆଶାୟୀ ସୁଫଳ ପାଇବେ ବୋଲି ମତ ପ୍ରକାଶ ପାଇଛି।