ମୋଦିଜୀ ଓଡ଼ିଶାରେ ଗରିବ କଲ୍ୟାଣର ଗ୍ୟାରେଣ୍ଟି ଦେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

• ମା’ ବିରଜାଙ୍କ ପବିତ୍ର ଭୂମି ସଂଗ୍ରାମ ଓ ବଳିଦାନର ମାଟିକୁ ମୋର ପ୍ରଣାମ
• ଏହି ମାଟିରେ ସଂଗ୍ରାମୀ ବଡ଼ଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀ, କୃଷ୍ଣମୋହନ ରାଉତରାୟ, ଶଶିଭୂଷଣ ଦାସ, ଜଗନ୍ନାଥ ମାନଧାତା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ଭଳି ମହାପୁରୁଷମାନେ ଜନ୍ମ ନେଇଛନ୍ତି
• ମହାତ୍ମା ଗାନ୍ଧୀ ଆସିଥିବା ଏହି ମାଟି ଭଗବାନ ବୁଦ୍ଧଙ୍କ ଆଗମନରେ ଆହୁରି ପବିତ୍ର ହୋଇଛି
• ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିକ ପ୍ରକଳ୍ପ ଗୁଡିକ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବ
• ବିଗତ ୧୦ ବର୍ଷରେ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ କାମର ତୁଳନା ନାହିଁ
• ଓଡ଼ିଶାକୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସେ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି
• ଗତ ୧୦ ବର୍ଷ ମଧ୍ୟରେ ମୋଟ ୪୯ ଜଣ ଓଡ଼ିଆଙ୍କୁ ପଦ୍ମ ସମ୍ମାନରେ କରିଛନ୍ତି
• ମନ୍ କି ବାତ୍’ରେ ଓଡ଼ିଆଙ୍କ କୃତିତ୍ୱକୁ ଜାତୀୟ ସ୍ତରରେ ପ୍ରତିଫଳନ କରି ପ୍ରତ୍ୟେକ ଓଡ଼ିଆଙ୍କୁ ଗୌରବାନ୍ୱିତ କରିଛନ୍ତି

ଚଣ୍ଡିଖୋଲ, ମାର୍ଚ୍ଚ ୦୫ – ୧୪୦ କୋଟି ଭାରତୀୟ ପରିବାର ମୁଖିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଓଡ଼ିଶାର ସାମୂହିକ ବିକାଶ ଓ ଗରିବ କଲ୍ୟାଣ ପାଇଁ ଦାୟିତ୍ୱ ନେବାର ଗ୍ୟାରେଣ୍ଟି ଦେଇଛନ୍ତି । ମଙ୍ଗଳବାର ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମା’ ବିରଜାଙ୍କ ପବିତ୍ର ଭୂମି ସଂଗ୍ରାମ ଓ ବଳିଦାନର ମାଟି । ଏହି ମାଟିର ବୀର ସଂଗ୍ରାମୀ ବଡ଼ଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀ, କୃଷ୍ଣମୋହନ ରାଉତରାୟ, ଶଶିଭୂଷଣ ଦାସ, ଜଗନ୍ନାଥ ମାନଧାତା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ଭଳି ମହାପୁରୁଷମାନେ ଜନ୍ମ ନେଇଛନ୍ତି । ଏ ମାଟିକୁ ମହାତ୍ମା ଗାନ୍ଧୀ ଆସିଥିଲେ । ଭଗବାନ ବୁଦ୍ଧଙ୍କ ଆଗମନରେ ଏହି ମାଟି ଆହୁରି ପବିତ୍ର ହୋଇଛି । ଏହି ମାଟିରେ ଆଜି ପ୍ରଧାନମନ୍ତ୍ରୀ ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରରେ ଓଡ଼ିଶା ପାଇଁ ୨୦,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉପହାର ଦେଇଛନ୍ତି । ‘ମୋଦୀ ଗ୍ୟାରେଣ୍ଟି’ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚଣ୍ଡିଖୋଲ- ପାରାଦୀପ ସେକ୍ସନର ଆଠ ଲେନ୍ ନିର୍ମାଣ ପାଇଁ ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବ ।

ବିଗତ ୧୦ ବର୍ଷରେ ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ କାମର ତୁଳନା ନାହିଁ । ଓଡ଼ିଶାକୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ସେ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ମୋଟ ୪୯ ଜଣ ଓଡ଼ିଆଙ୍କୁ ପଦ୍ମ ସମ୍ମାନରେ କରି ପ୍ରଧାନମନ୍ତ୍ରୀ ଓଡ଼ିଆଙ୍କ ପ୍ରତି ତାଙ୍କ ହୃଦୟରେ ଥିବା ସମ୍ମାନବୋଧର ପରିଚୟ ଦେଇଛନ୍ତି । ‘ମନ୍ କି ବାତ୍’ରେ ଓଡ଼ିଆଙ୍କ କୃତିତ୍ୱକୁ ଜାତୀୟ ସ୍ତରରେ ପ୍ରତିଫଳନ କରି ପ୍ରତ୍ୟେକ ଓଡ଼ିଆଙ୍କୁ ଗୌରବାନ୍ୱିତ କରିଛନ୍ତି । ଓଡ଼ିଶାର ବିଭିନ୍ନ ଉତ୍ପାଦ ଓ ସାମଗ୍ରୀକୁ ୧୪ ଟି ଜିଆଇ ଟ୍ୟାଗ୍ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।