ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାଲରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ବିଟ୍ କଏନ୍ ସ୍କାମ ଘଟଣାରେ ଇଡ଼ି ବିଶିଷ୍ଠ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ପିଏମଏଲଏ ଆକ୍ଟ ୨୦୦୨ ଅନୁସାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଇଡ଼ି ।
ସୂଚନା ଅନୁସାରେ, ଇଡି ଅଭିଯୋଗ କରିଛି ଯେ, ଏହି ଘୋଟାଲାରେ ମାଷ୍ଟରମାଇଣ୍ଡ ଅମିତ ଭରଦ୍ୱାଜଙ୍କ ପାଖରୁ ରାଜ କୁନ୍ଦ୍ରା ୨୮୫ ବିଟ୍ କଏନ୍ ନେଇଥିଲେ । ନିବେଶକଙ୍କୁ ଠକି ଅମିତ ଭରଦ୍ବାଜ ଏହି ବିଟକଏନ୍ ହାସଲ କରିଥିଲେ ଏବଂ ୟୁକ୍ରେନରେ ବିଟକଏନ୍ ଖଣିରେ ବିନିଯୋଗ କରିଥିଲେ । ଏହି ଦୁର୍ନୀତିର ଅପରାଧରୁ ରାଜ କୁନ୍ଦ୍ରା ୨୮୫ ବିଟକଏନ୍ ପାଇଥିଲେ, ଯାହାର ମୂଲ୍ୟ ୧୫୦ କୋଟିରୁ ଅଧିକ ଅଟେ । ଏହି ମାମଲାରେ ଇଡି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।