ହିରୋସିମା’ ଶବ୍ଦ ଶୁଣିଲେ ଆଜି ବି ‌ବିଶ୍ବବାସୀ ଭୟ କରନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

‘ହିରୋସିମା’ ଶବ୍ଦ ଶୁଣିଲେ ଆଜି ମଧ୍ୟ ବିଶ୍ବବାସୀ ଭୟଭୀତ ହୋଇଯାଉଛନ୍ତି ବୋଲି ଶନିବାର ଦିନ ଜାପାନର ହିରୋସିମାରେ ମହାତ୍ମା ଗାନ୍ଧୀଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ, ‘ଜି୭’ ଶିଖର ସମ୍ମିଳନୀ ପାଇଁ ଜାପାନ ଗସ୍ତ ସମୟରେ ମହାତ୍ମା ଗାନ୍ଧୀଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ସୁଯୋଗ ପାଇଲି। ହିରୋସିମାସ୍ଥିତ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଅହିଂସା ଚିନ୍ତାଧାରାକୁ ଅଗ୍ରସର କରାଇବ। ମହାତ୍ମା ଗାନ୍ଧୀଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି।

ସ‌େ ଆହୁରି ମଧ୍ୟ କହିଛନ୍ତି, ଜାପାନର ପ୍ରଧାନମନ୍ତ୍ରୀଙ୍କୁ ମୁଁ ଉପହାର ଦେଇଥିବା ‘ବୋଧି ଦ୍ରୁମ’ଟିକୁ  (ଗୌତମ ବୁଦ୍ଧ ତପସ୍ୟା କରିଥିବା ଅଶ୍ବସ୍ତ ଗଛ) ହିରୋସିମାରେ ରୋପଣ କରାଯାଇଛି। ଫଳରେ ଏଠାକୁ ଆସୁଥିବା ଲୋକେ ଶାନ୍ତିର ମହତ୍ତ୍ବ ବୁଝିପାରିବେ।

ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଆମନ୍ତ୍ରଣକ୍ରମେ ‘ଜି୭’ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମ‌ୋଦୀ ହିରୋସିମାରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ ଜଣାଇବା ଲାଗି ହିରୋସିମାର ଏକ ହୋଟେଲ୍‌ ନିକଟରେ ଏକତ୍ର ହୋଇଥିବା ଭାରତୀୟ ବଂଶୋଦ୍ଭବମାନେ ମୋଦୀଙ୍କୁ ପ୍ରଶଂସା କରି ସ୍ଲୋଗାନ୍‌ ଉଚ୍ଚାରଣ କରିବା ସହିତ ‘ଭାରତ ମାତାକୀ ଜୟ’ ଓ ‘ବନ୍ଦେ ମାତରଂ’ ଆଦି ସ୍ଲୋଗାନ୍ ଦେଇଥିଲେ।

ମେ ୧୯ରୁ ୨୧ ପର୍ଯ୍ୟନ୍ତ ହିରୋସିମା ନଗରୀରେ ଆୟୋଜନ କରାଯାଇଥିବା ଏହି ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ‘ଜି୭’ ନେତାମାନେ ସମ୍ପ୍ରତି ଜାପାନ ଗସ୍ତରେ ଅଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩ରେ ଜାପାନ ‘ଜି୭’ର ଅଧ୍ୟକ୍ଷତା ଗ୍ରହଣ କରିଛି।

Leave A Reply

Your email address will not be published.